ମୌସୁମୀ ପାଦ ନଦେଉଣୁ ରାଜଧାନୀ ବାସିନ୍ଦାଙ୍କୁ ଘାରିଲାଣି ମୁକୁଳା ଡ୍ରେନ ପ୍ରସଙ୍ଗ । ପ୍ରତିବର୍ଷ ମୁକୁଳା ଡ୍ରେନରେ ପଡ଼ି ଅନ୍ୟୁନ ଜଣେ ମରିବା ଦେହସୁହା ହୋଇଗଲାଣି । ସୂଚନା ମୁତାବକ ୨୦୧୫ରୁ ୨୦୨୫ ଭିତରେ ରାଜଧାନୀରେ ୧୦ରୁ ଅଧିକ ମୁଣ୍ଡ ନେଇଛି ମୁକୁଳା ଡ୍ରେନ୍ । ମୁକୁଳା ଡ୍ରେନ୍ ର ସ୍ଥାୟୀ ପ୍ରତିକାର ବାଟ ବାହାର କରୁ କରୁ ବିଜେପି ସରକାରକୁ ପୁରିଗଲା ଗୋଟିଏ ବର୍ଷ ।
ଗତବର୍ଷ ଜୁନ ମାସରେ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୮/୧୦ ଦିନ ଭିତରେ ବର୍ଷାପାଣି ସୁଅରେ ଭାସି ଯାଇ ଗୋଟିଏ ନାବାଳକ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ମୁକୁଳା ଡ୍ରେନକୁ ଖସିପଡ଼ିଲା । ବହୁତ ଖୋଜାଖୋଜି କରିବା ପରେ ପିଲାଟିର ମୃତଦେହ ମିଳିଥିଲା ।
ସଂପୃକ୍ତ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧୃତରାଷ୍ଟ୍ର ରାଜୁତିକୁ ଦାୟୀ କରିଥିଲେ । ସେ କଥାକୁ ବର୍ଷେ ବିତିଲାଣି । ବର୍ଷକ ଭିତରେ ରାଜଧାନୀର ରଙ୍ଗ ବଦଳିଗଲାଣି ।
ନିର୍ବାଚନର ମାସକ ପୂର୍ବରୁ ନବୀନ ବାବୁ ଯେଉଁସବୁ ଜାଗାରେ ସବୁଜ ରଙ୍ଗ ବୋଳିଥିଲେ, ସେହି ଜାଗାଗୁଡ଼ିକରେ ଗେରୁଆ ରଙ୍ଗ ବୋଳୁ ବୋଳୁ ମୋହନ ଭାଇଙ୍କୁ ବର୍ଷେ ଲାଗିଗଲା । ତଥାପି ବହୁତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଗେରୁଆ ରଙ୍ଗ ବୋଳା କାମ ସରିନି । ତା’ ଭିତରେ ମୌସୁମୀ ଆସିଲାଣି, ମୌସୁମୀ ମୁହଁରେ ଗେରୁଆ ରଙ୍ଗ ବୋଳିବା କାମଟା ନିହାତି ଜରୁରୀ । ତାରି ଭିତରେ ଯଦି ରାଜଧାନୀର ମୁକୁଳା ଡ୍ରେନରେ କେହି ଖସିପଡ଼ି ମୃତ୍ୟୁବରଣ କରନ୍ତି, ସେଥିପାଇଁ ମୋହନ ଭାଇ ସାହସର ସହିତ ନିଜକୁ ଦାୟୀ କରିବେ?