ମୋଦିଙ୍କ ଚିଠିରେ ମୋହନ ଉଲ୍ଲସିତ

ଉତ୍କଳ ଦିବସ ! ଭାଷା ଭିତିକ ରାଜ୍ୟ ଗଠନରେ ….

ଭୁବନେଶ୍ୱର: ଉତ୍କଳ ଦିବସ ! ଭାଷା ଭିତିକ ରାଜ୍ୟ ଗଠନରେ ପ୍ରଥମ। ସ୍ୱାଧୀନତା ପୂର୍ବରୁ ଅର୍ଥାତ୍‌ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ଓଡ଼ିଶା ପ୍ରଦେଶ। ଓଡ଼ିଶାର ବୀର ତଥା ସଂଗ୍ରାମୀ ମହାପୁରୁଷଙ୍କ ବଳିଦାନରେ ଏହି ରାଜ୍ୟ ଗଠିତ ହୋଇଛି। ଯାହାକୁ ନେଇ ଏ ଜାତି ଗର୍ବିତ। ପବିତ୍ର ଉତ୍କଳ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଉତ୍କଳ ଦିବସ ଶୁଭେଚ୍ଛା: ପିଏମ୍‌ ମୋଦି ଚିଠି ଆରମ୍ଭରୁ ଜୟ ଜଗନ୍ନାଥ ଲେଖି ଓଡ଼ିଶାର ଭାଇ ଓ ଭଉଣୀମାନଙ୍କୁ ଓଡ଼ିଶା ଦିବସରେ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ସେ ଲେଖିଛନ୍ତି, ଓଡ଼ିଶା ଏହାର ଗୌରବଶାଳୀ ଇତିହାସ ଏବଂ ଏହି ଅସାଧାରଣ ରାଜ୍ୟର ଲୋକମାନଙ୍କୁ ଦେଖିଲେ ଯେକୌଣସି ବ୍ୟକ୍ତି ଚକିତ ହୋଇଯିବ। ଓଡ଼ିଆ ସଂସ୍କୃତି ଏକ ସଭ୍ୟତାଗତ ଐତିହ୍ୟ। ଓଡ଼ିଶା ନିକଟରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେବା ଭଳି ଶକ୍ତି ରହିଛି। ସର୍ବୋପରି, ଏଠାରେ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର ଏବଂ ଏପରି ଅନେକ ପ୍ରତିଷ୍ଠିତ ସ୍ଥଳୀ ନିର୍ମାଣ କରାଯାଇଛି, ଯାହା ଆଜି ମଧ୍ୟ ସଗୌରବେ ଦଣ୍ଡାୟମାନ। ସାରା ରାଜ୍ୟରେ ଦେବୀ ମା’ଙ୍କୁ ସମର୍ପିତ ଅନେକ ମନ୍ଦିର ଅଛି। ଓଡ଼ିଶାରେ ଭକ୍ତି ଏବଂ କଳାତ୍ମକ ଉତ୍କର୍ଷର ଅଦ୍ଭୁତ ସଂଗମ ଦେଖିବାକୁ ମିଳିଥାଏ ବୋଲି ପ୍ରଧାନମନ୍ତ୍ରୀ ଓଡ଼ିଶାର ଗାରିମା ମଣ୍ଡି ଚିଠିରେ ଲେଖିଛନ୍ତି।

ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି: ଓଡ଼ିଶାର ବାସ୍ତବ ମହାନତା ଏହାର ଲୋକଙ୍କ ପଖରେ ରହିଛି। ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ସାହସ ବିଷୟରେ ତ ସମସ୍ତେ ଉଣା ଅଧିକ ଜାଣିଛନ୍ତି। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ, ଉକ୍ରଳ ଗୌରବ ମଧୂସୁଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ହରେକୃଷ୍ଣ ମହତାବ, ମାଳତୀ ଚୌଧୁରୀ, ସାରଳା ଦେବୀ, ପାର୍ବତୀ ଗିରି ଏଭଂ ଏପରି ଅଗଣିତ ମହାପୁରୁଷ ଆମ ଇତିହାସରେ ଏକ ଅଲିଭା ସ୍ୱାକ୍ଷର ଛାଡ଼ି ଯାଇଛନ୍ତି। ଏହି ମାଟିରେ ବିଜୁ ପଟ୍ଟନାୟକଙ୍କ ଭଳି ମହାନ ବ୍ୟକ୍ତିତ୍ୱ ଜନ୍ମ ନେଇଥିଲେ। ତାଙ୍କର ଜୀବନ ଅସାଧାରଣ ଶକ୍ତି, ସାହସ ଏବଂ ଦେଶ ଗଠନ ପାଇଁ ଅତୁଟ ସମର୍ପଣର ପ୍ରତୀକ। ହିଜୁ ବାରୁଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଆମ ସମସ୍ତଙ୍କୁ ଅନୁପ୍ରାଣିତ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଉତ୍କଳ ଦିବସ ଉପଲକ୍ଷେ ଦେଇଥିବା ଚିଠିରେ ଲେଖିଛନ୍ତି।

ରେଳ ଏବଂ ସଡ଼କ ପାଇଁ ସର୍ବାଧିକ ପାଣ୍ଠି ଆବଂଟନ: ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଲେଖିଛନ୍ତି, ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଓଡ଼ିଶା ସହିତ ମୋର ଘନିଷ୍ଠ ସମ୍ପର୍କ ଜାରି ରହିଛି। ମୁଁ ଏହାକୁ ମୋର ସୌଭାଗ୍ୟ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବୋଲି ମନେ କରୁଛି। ଗତ ଏକ ଦଶନ୍ଧି ଧରି, ମୁଁ ଓଡ଼ିଶାର ପ୍ରଗତି ତଥା ଏହାର ଲୋକଙ୍କ ସମୃଦ୍ଧି ପାଇଁ କାମ କରିବାକୁ ସୁଯୋଗ ପାଇଛି। ଚଳିତ ବର୍ଷ ଏହାର ଏକ ଝଲକ ଦେଖିବାକୁ ମିଳିଛି । ଏ ବର୍ଷ ଓଡ଼ିଶାକୁ ରେଳ ଏବଂ ସଡ଼କ ପାଇଁ ସର୍ବାଧିକ ପାଣ୍ଠି ଆବଂଟନ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶା ପାଇଁ ରେଳ ଆବଂଟନ ୧୦,୬୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ତୁଳନାରେ ୨୦୦୯ରୁ ୨୦୧୪ ମଧ୍ୟରେ ବାର୍ଷିକ ହାରାହାରି ଆବଂଟନ ମାତ୍ର ୮୩୮ କୋଟି ଟଙ୍କା ଥିଲା। ଏହି ପଦକ୍ଷେପ ସଂଯୋଗୀକରଣ ଏବଂ ଲଜିଷ୍ଟିକ୍ସକୁ ନୂତନ ଗତି ଦେଇଛି।

ପ୍ରଧାନମନ୍ତ୍ରୀ-ଜନମନ ଯୋଜନା: ବିଭିନ୍ନ ପ୍ରମୁଖ ଯୋଜନା ମାଧ୍ୟମରେ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଏକ ଉନ୍ନତ ଜୀବନଯାପନ ଲାଗି ସକ୍ଷମ କରିବା ଦିଗରେ ମଧ୍ୟ କାର୍ଯ୍ୟ କରିଛୁ। ବିଶେଷ କରି, ପ୍ରଧାନମନ୍ତ୍ରୀ-ଜନମନ ଯୋଜନା ଆଦିବାସୀଙ୍କ ମଧ୍ୟରେ ସବୁଠାରୁ ଗରିବ ଏବଂ ଦୁର୍ବଳ ଗୋଷ୍ଠୀଙ୍କ ଆକାଂକ୍ଷାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛି। କେନ୍ଦ୍ରର ଏନ୍‌ଡିଏ ସରକାର ବନ୍ଦର ଆଧାରିତ ବିକାଶ ମାଧ୍ୟମରେ ଓଡ଼ିଶାକୁ ଏକ ପ୍ରମୁଖ ସାମୁଦ୍ରିକ ଏବଂ ଶିଳ୍ପଭିତିକ ରାଜ୍ୟ ଭାବରେ ବିକଶିତ ହେବା ଲାଗି ସମର୍ଥନ କରୁଛି। ଏଥିରେ ପାରଦୀପ ଚାରିପାଖରେ ଶିଳ୍ପ ଅନୁକୂଳ ପରିବେଶର ବିକାଶ, ପାରାଦୀପ ଓ ଗୋପାଳପୁରରେ ପ୍ରସ୍ତାବିତ ଏଲ୍‌ଏନ୍‌ର୍ଜି ଟାର୍ମିନାଲ ଏବଂ ବାହୁଦା ବନ୍ଦର ତଥା ମହାନଦୀରେ ନଦୀ ଆଧାରିତ ଜାହାଜ ନିର୍ମାଣ ଓ ବନ୍ଦର ଭଳି ପ୍ରକଳ୍ପର ବ୍ୟାପକ ସମ୍ଭାବନା ଅନ୍ତର୍ଭୂକ୍ତ।

ବାମପନ୍ଥୀ ଉଗ୍ରବାଦୀ ଶେଷ: ବାମପନ୍ଥୀ ଉଗ୍ରବାଦୀ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ସଫଳତା ପାଇଁ ଗର୍ବିତ ବୋଲି ପିଏମ୍‌ ମୋଦି କହିଛନ୍ତି। କିଛି ଦିନ ପୂର୍ବରୁ ସଂସଦରେ, ଗୃହମନ୍ତ୍ରୀ ଅମିତ୍‌ ଶାହ ଏହି କ୍ଷେତ୍ରରେ ହୋଇଥିବା ଅଗ୍ରଗତି ବିଷୟରେ ଏକ ଉଲ୍ଲେଖନୀୟ, ତଥ୍ୟପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ। ଏନ୍‌ଡିଏ ସରକାର ମାଓବାଦ ବିପଦକୁ ମୂଳପୋଚ୍ଛ କରିବା ଉପରେ ଯଥୋଚିତ ଭାବେ ଧ୍ୟାନ ଦେବା ସହିତ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ଶୋଷିତ ହେଉଥିବା ଲୋକଙ୍କୁ ସମ୍ମାନର ଜୀବନ ଦେବା ପାଇଁ ମଧ୍ୟ କାର୍ଯ୍ୟ କରୁଛି। ଓଡ଼ିଶା ଭଳି ଏକ ରାଜ୍ୟ ଏହି ପ୍ରୟାସଗୁଡ଼ିକୁ ଯଥେଷ୍ଟ ଭାବେ ସ୍ୱୀକାର କରିପାରିବ କାରଣ ବାମପନ୍ଥୀ ଉଗ୍ରବାଦୀଙ୍କ ହିଂସା ଓଡ଼ିଶାର ବିକାଶ ପଥକୁ ମନ୍ଥର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

ଗତ ଦୁଇ ବର୍ଷ ଧରି ଆପଣ ଏବଂ ଓଡ଼ିଶା ସରକାର ଯେଉଁ ଅସାଧାରଣ କାର୍ଯ୍ୟ କରୁଛନ୍ତି ତାହାକୁ ପିଏମ୍‌ ମୋଦି ପ୍ରଶଂସା କରିଛନ୍ତି। ଲୋକମାନେ ଏହି ଦଳ ଉପରେ ଅତୁଟ ବିଶ୍ୱାସ ରଖିଛନ୍ତି। ତେଣୁ ଲୋକଙ୍କ ସ୍ୱପ୍ନ ପୂରଣ କରିବାରେ କୌଣସି ପ୍ରକାର ସୁଯୋଗ ଛଡ଼ାଯିବ ନାହିଁ ବୋଲି ନରେନ୍ଦ୍ର ମୋଦି କହିଛନ୍ତି।
ସେହିପରି ସୁଭଦ୍ରା ଯୋଜନାକୁ ନେଇ ପିଏମ୍‌ ମୋଦି ନିଜ ଚିଠିରେ ଉଲ୍ଲେଖ କରିଛନ୍ତି। ସୁଭଦ୍ରା ଯୋଜନା ମହିଳା ସଶକ୍ତିକରଣର ଏକ ପ୍ରମୁଖ ଉପକରଣ ଭାବରେ ଉଭା ହୋଇଛି। ଏହି ଯୋଜନା ଦ୍ୱାରା ୧ କୋଟିରୁ ଅଧିକ ମହିଳା ହିତାଧିକାରୀଙ୍କ ଜୀବନ ଧାରଣ ମାନ ଉନ୍ନତ ହୋଇଛି। ଏହି ଯୋଜନା ଆମର ନାରୀ ଶକ୍ତିକୁ ଆର୍ଥିକ ସହାୟତା, ଆତ୍ମବିଶ୍ୱାସ ଏବଂ ମର୍ଯ୍ୟାଦା ଆଣି ଦେଇଛି। ଲକ୍ଷପତି ଦିଦି ସୃଷ୍ଟି କରିବାରେ ଏକ ଅଗ୍ରଣୀ ରାଜ୍ୟ ହୋଇଥିବାରୁ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।

ପିଏମ ମୋଦି ଆହୁରି ମଧ୍ୟ ଲେଖିଛନ୍ତି, ଆଗାମୀ ଏକ ଦଶନ୍ଧି ମଧ୍ୟରେ, ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ହେବାର ଶହେ ବର୍ଷ ପୂରଣ କରିବ । ଏହି ଅବସରରେ ଓଡ଼ିଶାର ବିକାଶ ପାଇଁ ଆହୁରି କ’ଣ କରାଯାଇପାରିବ ସେ ବିଷୟରେ ବିଚାର କରନ୍ତୁ ବୋଲି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ଏହା ସହିତ ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଏଠାକାର ଲୋକଙ୍କ ସାମର୍ଥ୍ୟ ଓ ଆକାଂକ୍ଷା ସହିତ ଓଡ଼ିଶା ସମୃଦ୍ଧିର ନୂତନ ମାଇଲଖୁଂଟ ହାସଲ ହୋଇ ପାରିବ, ମୋଦି ଲେଖିଛନ୍ତି।