ଭୁବନେଶ୍ୱର: ମୌସୁମୀ ଦୁର୍ବଳ ରହିଛି । ତେଣୁ ଆସନ୍ତା ୫ ଦିନ ଯାଏ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ । କାଁ ଭାଁ ବର୍ଷା ହୋଇପାରେ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି ଯେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ଅଧିକ ରହିଛି । ଜୁନ ପହିଲାରୁ ଆଜି ସୁଦ୍ଧା ସ୍ୱାଭାବିକ ଭାବେ ୯୧୪.୫ ମିମି ବର୍ଷା ହେବା କଥା । ମାତ୍ର ଏହି ସମୟ ମଧ୍ୟରେ ୯୮୮.୨ ମିମି ବର୍ଷା ହୋଇଛି ।
୭ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଶରତରେ ଗ୍ରୀଷ୍ମର ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଦୁର୍ବଳ ମୌସୁମୀ ଯୋଗୁ ରାଜ୍ୟରେ ତାତି ବଢ଼ୁଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଗତକାଲି ରାଜ୍ୟର ୧୧ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବା ପାଣିପାଗ ବିଭାଗ କହିଛି ।