ଶାସକଙ୍କ ଗୁଣଗାନ କରି ଫାଇଦା ହାସଲ କରୁଛନ୍ତି ଅଧିକାଂଶ ଗଣମାଧ୍ୟମ

ରବିବାର ସାକ୍‌ସୀ ୱାର୍ଲଡ ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ….

ଭୁବନେଶ୍ୱର: ରବିବାର ସାକ୍‌ସୀ ୱାର୍ଲଡ ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ‘ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାରେ ଅଂଶଗ୍ରହଣ କରି ବହୁ ବିଶିଷ୍ଟ ବକ୍ତା ଗଣମାଧ୍ୟମର କଳଙ୍କିତ ଆଭିମୁଖ୍ୟକୁ ଦାୟୀ କରିଛନ୍ତି । ଆଜିର ଗଣମାଧ୍ୟମ ତା’ର ଅସ୍ତିତ୍ୱ ବଜାୟ ପାଇଁ ପରିସ୍ଥିତିର ଦାସ ପାଲଟିଛି ବୋଲି ଆଲୋଚନା ଚକ୍ରକୁ ଅଧ୍ୟକ୍ଷତା କରି ସମାଜସେବୀ ସରୋଜ କୁମାର ବିଶ୍ୱାଳ କହିଛନ୍ତି ।
ଗଣମାଧ୍ୟମର ପ୍ରତିନିଧିଙ୍କୁ ଦେବର୍ଷି ନାରଦଙ୍କ ସହ ତୁଳନା କରାଯାଏ । ସତ୍ୟ, ଧର୍ମ ଓ ନ୍ୟାୟ ପ୍ରତିଷ୍ଠା ଦିଗରେ ନାରଦଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମୁହଁରେ ପ୍ରଭୁ ନାରାୟଣଙ୍କ ନାମ, ହାତରେ ତାମ୍ପୁରା ଧାରଣ କରି ନାରଦ ସୃଷ୍ଟିର ସେବା କରନ୍ତି । ବିନା ବାଧାରେ ସପ୍ତଲୋକ ବୁଲିବାର କ୍ଷମତା ଏକା ନାରଦଙ୍କର ରହିଛି । ନାରଦଙ୍କୁ କଳିହା କୁହାଯିବାର ଅନ୍ୟତମ କାରଣ ହେଉଛି ସେପଟ କଥା ଏପଟ ଓ ଏପଟ କଥା ସେପଟ କରି ସେ ଦୁଇପଟକୁ ବିବାଦରେ ପକାଇଥାନ୍ତି ଯାହାର ପରିଣାମ ସପ୍ତଲୋକର ମଙ୍ଗଳ ପାଇଁ ଉଦ୍ଦିଷ୍ଟ । ନାରଦ କେବେ କାହାର କିଛି ଧାରନ୍ତି ନାହିଁ ମାନେ ଲାଂଚ ଗ୍ରହଣ କରନ୍ତି ନାହିଁ ।

ସଂକ୍ଷେପରେ କହିଲେ, ସାତୋଟି ଲୋକ ବୁଲିବୁଲି ଖବର ସଂଗ୍ରହ କରିବାର ଗୁରୁଦାୟିତ୍ୱ ଏକମାତ୍ର ନାରଦଙ୍କ ଉପରେ ନ୍ୟସ୍ତ ଥିଲା । ଆଜି ହଜାର ହଜାର ଗଣମାଧ୍ୟମ କାମ କରୁଥିଲେ ମଧ୍ୟ ସେମାନଙ୍କ ଭିତରୁ ବହୁତ କମ୍‌ ଗଣମାଧ୍ୟମ ଲୋକଙ୍କ ପାଇଁ ସମର୍ପିତ ।
ଗଣତନ୍ତ୍ରର ପ୍ରତ୍ୟେକ ସ୍ତମ୍ଭକୁ ଦୁର୍ନୀତିର ଉଇ ଚରିଯାଇଥିଲା ବେଳେ ଗଣମାଧ୍ୟମ ସେଥିରୁ ବାଦ୍‌ ପଡ଼ିବ କିପରି? ଅତଏବ ଜଗତର କଲ୍ୟାଣ କଥା ପଛକୁ ପକାଇ ଆଜିର ଗଣମାଧ୍ୟମ ଟଙ୍କା ପଛରେ ବାଇ । କ୍ଷମତାସୀନ ରାଜନୈତିକ ଦଳର ମିଛ ପ୍ରଶଂସା କରି ସରକାରଙ୍କ ଅନୁକମ୍ପା ଲାଭ କରି କୋଟିକୋଟି ଟଙ୍କାର ବିଜ୍ଞାପନ ହାତେଇବା ଗଣମାଧ୍ୟମର ମୁଖ୍ୟ କାମ ହୋଇଛି । ରାତି ପାହିବା ମାତ୍ରେ ରାଜନେତା ଓ ପ୍ରଶାସକଙ୍କ ଦୁଆର ମୁହଁରେ ଅଧିଆ ପଡ଼ିବା ଗଣମାଧ୍ୟମର ପ୍ରାଥମିକ କର୍ତବ୍ୟ । ଖାସ୍‌ ସେଇଥିପାଇଁ ଆଜିକାଲି ଗଣମାଧ୍ୟମର ସାମାଜିକ ମୂଲ୍ୟବୋଧ ନିମ୍ନଗାମୀ ହୋଇଛି ।

ପରିବେଶ ଓ ପରିସ୍ଥିତିର ଦାସ ପାଲଟିଯାଇଛି ଗଣମାଧ୍ୟମ । ଗଣମାଧ୍ୟମ କେବେ କୋଉଠି ଏକଜୁଟ ହେବାର ଉଦାହରଣ ଦୃଷ୍ଟିରେ ପଡ଼ିନି । ଶାସକଙ୍କର ଅନ୍ୟାୟ କାର୍ଯ୍ୟକଳାପ, ଶୋଷଣ ନୀତିକୁ ପ୍ରତିବାଦ କରୁଥିବା ଗଣମାଧ୍ୟମକୁ ସମାଧି ଦିଆଯାଉଛି । ଶାସକଙ୍କର ଅନ୍ୟାୟ ଅନୀତି ପ୍ରତି ଆଖିବୁଜି ଦେଉଥିବା ଗଣମାଧ୍ୟମକୁ ସାମାଜିକ ପ୍ରତିଷ୍ଠା ମିଳୁଛି ।