ସୁରେଶ ବାଣ୍ଟିଲେ ସମ୍ବଲପୁରୀ ମାସ୍କ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ସାମାଜିକ ଦୂରତା ରକ୍ଷା ସହ ଗୃହ ଭିତରେ ସମସ୍ତ ସଦସ୍ୟଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏହି ଅବସରରେ ଲୋକସଭା ସାଂସଦଙ୍କୁ ସମ୍ବଲପୁରୀ ମାସ୍କ ବାଣ୍ଟିଛନ୍ତି ବରଗଡ଼ ସାଂସଦ ସୁରେଶ ପୁଜାରୀ।

ବିଭିନ୍ନ ଡିଜାଇନର ଭଳିକି ଭଳି ହାତ ତିଆରି ମାସ୍କ ବାଣ୍ଟିଛନ୍ତି ଶ୍ରୀ ପୁଜାରୀ। ସମ୍ବଲପୁରୀ ବାନ୍ଧ କାରିଗରିକୁ ଭାରତର କୋଣ ଅନୁକୋଣରେ ପହଞ୍ଚାଇବାର ଏହା ଏକ ଛୋଟ ପ୍ରୟାସ ବୋଲି ସେ କହିଛନ୍ତି। ଏନେଇ ସେ ଟ୍ୱିଟରରେ ଲେଖିଛନ୍ତି, ଭାରତ ବର୍ଷର ଲୋକସଭା ସଦନରେ ସାଂସଦ ମାନଙ୍କୁ ବରଗଡ଼ର ବୟନିକା ଡ଼ାଇରେକ୍ଟର ଶ୍ରୀ ସଞ୍ଜୟ ମେହେରଙ୍କ ନିର୍ମିତ ସମ୍ବଲପୁରୀ ମାସ୍କ ଉପହାର କରିଥିଲି। ଆମ ଅଞ୍ଚଳର ପାରମ୍ପାରିକ ହସ୍ତତନ୍ତ ସାମଗ୍ରୀକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ପଂଚାୟତରେ ପ୍ରଚାର କରି ଭାରତର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଏହା ଏକ ଛୋଟ ପ୍ରୟାସ।

ବାଚସ୍ପତି ଓମ୍ ବିର୍ଲାଙ୍କୁ ମଧ୍ୟ ଏହି ମାସ୍କ ପ୍ରଦାନ କରିଛନ୍ତି ସୁରେଶ। ସାଥୀ ଓଡ଼ିଆ ସାଂସଦଙ୍କ ସହ ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ଯାଇ ସେ ମାସ୍କ ଦେବା ସହ ତାଙ୍କୁ ସମ୍ବଲପୁରୀ ବୟନଶୀଳ୍ପର ବିଶେଷତ୍ୱ ବୁଝାଇଛନ୍ତି। ଏନସିପି ସାଂସଦ ସୁପ୍ରିୟା ସୁଲେ ଟ୍ୱିଟ କରି ସୁରେଶଙ୍କୁ ଏହି ମାସ୍କ ପାଇଁ ଧନ୍ୟବାଦ ଜଣାଇଛନ୍ତି।