ଜୁନରେ ହୋଇପାରେ ପୌର ନିର୍ବାଚନ

ଭୁବନେଶ୍ୱର (ଏସ୍ ନ୍ୟୁଜ): ଖୁବଶୀଘ୍ର ଦୂର ହେବ ପୌର ନିର୍ବାଚନକୁ ନେଇ ଦୀର୍ଘ ଦୁଇବର୍ଷରୁ ଲାଗି ରହିଥିବା ଅଚଳାବସ୍ଥା । ହାଇକୋର୍ଟଙ୍କ ନିର୍ଦେଶ ଆଧାରରେ ନିର୍ବାଚନରେ ସଂରକ୍ଷଣ ହାର ୫୦% ମଧ୍ୟରେ ସୀମିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେଶନରେ ପୌର ନିୟମରେ ସଂଶୋଧନ ନେଇ ବିଧେୟକ ଆସିବ। ଏହା ପାରିତ ହେବା ପରେ ସରକାର ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ରାଜ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରିବେ। କମିସନ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିବେ। ୱାର୍ଡ ପୁନର୍ଗଠନ, ଭୋଟର ତାଲିକା ପ୍ରସ୍ତୁତି ଓ ନିର୍ବାଚନ ପାଇଁ ଅନ୍ୟୂନ ୬ମାସ ସମୟ ଆବଶ୍ୟକ ବୋଲି ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି। କାରଣ ଆଇନରେ ସଂଶୋଧନ ପରେ ୱାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ ପାଇଁ ନଗର ଉନ୍ନୟନ ବିଭାଗକୁ ୨ ମାସ ସମୟ ଲାଗିବ। ଏହା ସରିବା ପରେ ଭୋଟର ତାଲିକା ପ୍ରସ୍ତୁତି ଓ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କୁ ଚାରିମାସ ସମୟ ଆବଶ୍ୟକ। ଏଦୃଷ୍ଟିରୁ ଚଳିତ ଅଧିବେଶନରେ ସଂରକ୍ଷଣ ନିୟମ ସଂଶୋଧନ କରାଗଲେ ଆସନ୍ତା ଜୁନ ବେଳକୁ ନିର୍ବାଚନ ହେବ ବୋଲି ସୂଚନା ମିଳିଛି।

ତେବେ ପୌରାଞ୍ଚଳର ସୀମା ପୁନଃନିର୍ଦ୍ଧାରଣ, ସ୍ଥାନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନା ନିୟମ ୧୯୯୪ରେ ସଂଶୋଧନ ଆସିବା ପରେ ୨୦୨୧ ଜୁନ ବେଳକୁ ପୌର ନିର୍ବାଚନର ସମ୍ଭାବନା ଥିବା ନଗର ଉନ୍ନୟନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ପୌର ପ୍ରଶାସକ ସଂଗ୍ରାମଜିତ ନାୟକ କହିଛନ୍ତି, ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଆଦେଶ ଆଧାରରେ ସଂରକ୍ଷଣ ହାର ୫୦% ମଧ୍ୟରେ ସୀମିତ ରଖିବା ନେଇ ବିଭାଗ ସମସ୍ତ କାର୍ୟ୍ୟ ଶେଷ କରି ଏହାକୁ ଆଇନ ବିଭାଗକୁ ଅନୁଧ୍ୟାନ ପାଇଁ ପଠାଯାଇଛି । ଆସନ୍ତା ଅଧିବେଶନରେ ଆଇନରେ ସଂଶୋଧନ ପାଇଁ ବିଧେୟକ ଉପସ୍ଥାପିତ ହେବ। ଏହା ଗୃହର ଅନୁମୋଦନ ଲାଭ କରିବା ପରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। କାରଣ ଆଇନର ସଂଶୋଧନ ପରେ ୱାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ ପାଇଁ ନଗର ଉନ୍ନୟନ ବିଭାଗକୁ ୨ ମାସ ସମୟ ଲାଗିବ। ଏହା ସରିବା ପରେ ଭୋଟର ତାଲିକା ପ୍ରସ୍ତୁତି ଓ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କୁ ଚାରିମାସ ସମୟ ଆବଶ୍ୟକ। ଏଦୃଷ୍ଟିରୁ ଚଳିତ ଅଧିବେଶନରେ ସଂରକ୍ଷଣ ନିୟମ ସଂଶୋଧନ କରାଗଲେ ଆସନ୍ତା ଜୁନ ବେଳକୁ ନିର୍ବାଚନ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ୨୦୧୨ ପଞ୍ଚାୟତ ନିର୍ବାଚନ, ୨୦୧୩ ପୌର ନିର୍ବାଚନ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ହାର ଅଧିକ ଥିଲା। ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ପଛୁଆବର୍ଗଙ୍କ ସଂରକ୍ଷଣ ହାର ୬୪% ହେଉଥିଲା। ଏହା ସୁପ୍ରିମକୋର୍ଟଙ୍କ ୨୦୧୦ର ରାୟକୁ ଉଲ୍ଲଘଂନ କରୁଥିବା ଦର୍ଶାଇ ହାଇକୋର୍ଟରେ ୧୦୦ରୁ ଅଧିକ ଜନସ୍ବାର୍ଥ ମାମଲା ହୋଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ଅନୁସୂଚିତ ଅଞ୍ଚଳକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ଆସନ ସଂରକ୍ଷଣ ୫୦%ରୁ ଅଧିକ ନରଖିବା ପାଇଁ ପାଇଁ ନିର୍ଦେଶ ଦେଇଥିଲେ। ଏହାକୁ ଚାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିର୍ଦେଶକୁ ବଳବତ୍ତର ରଖିବା ଫଳରେ ସରକାର ଏହାର ପୁନର୍ବିଚାର ପାଇଁ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ,ଏହା ମଧ୍ୟ ଖାରଜ ହୋଇଥିଲା। ୨୦୧୯ ଜାନୁଆରୀରୁ ରାଜ୍ୟ ସରକାର ଏହା ଉପରେ ପଦକ୍ଷେପ ନନେଇ ବସିଥିବା ବେଳେ ପୌର ନିର୍ବାଚନ ଅଧିକ ବିଳମ୍ବିତ ହେଉଥିବାରୁ ସଂରକ୍ଷଣ ସଂକ୍ରାନ୍ତ ହାଇକୋର୍ଟଙ୍କ ଆଦେଶ ପାଳନ କରିବାକୁ ସରକାର ଏକରକମ ବାଧ୍ୟ ହୋଇଛନ୍ତି।

ରାଜ୍ୟରେ ୨୦୧୮ସେପ୍ଟେମ୍ବର ମାସରୁ ବିଭିନ୍ନ ପୌରାଞ୍ଚଳରେ ନିର୍ବାଚିତ ପ୍ରତିନିଧିଙ୍କ କାର୍ୟ୍ୟକାଳ ସରିବା ଆରମ୍ଭ ହୋଇଥିଲା। ୨୦୧୯ ଫେବୃଆରୀ ୧୩ ତାରିଖ ମଧ୍ୟରେ କଟକ ଓ ଭୁବନେଶ୍ବର ମହାନଗର ନିଗମ ସମେତ ରାଜ୍ୟର ୯୩ଟି ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କ କାର୍ୟ୍ୟକାଳ ଶେଷ ହୋଇଥିଲା। ଏପର୍ୟ୍ୟନ୍ତ ୧୧୦ଟି ପୌରାଞ୍ଚଳରେ ନିର୍ବାଚିତ ପ୍ରତିନିଧି ନାହାନ୍ତି। ସରକାର ସେଠାରେ ପ୍ରଶାସକ ନିଯୁକ୍ତି ଦେଇଛନ୍ତି। ଏଥିରୁ ପ୍ରାୟ ୬୦ଟିରେ ସଂରକ୍ଷଣ ହାର ୫୦%ରୁ ଅଧିକ ରହିଛି। ଆସନ୍ତା ଫେବୃଆରୀ ମାସରେ ବାଲିଗୁଡ଼ା ଓ ଚମ୍ପୁଆ ଏନଏସିରେ ନିର୍ବାଚିତ ପ୍ରତିନିଧିଙ୍କ କାର୍ୟ୍ୟକାଳ ଶେଷ ହେବ।