ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଓ ଶାଶୂ ଗିରଫ

ଝାରସୁଗୁଡ଼ା, (ଏସ୍‌ ନ୍ୟୁଜ) : ବ୍ରଜରାଜନଗର ଥାନା ବୁନ୍ଦିଆ କଲୋନୀରୁ ଗତ ୨୭ ତାରିଖ ଦୀପିକା ଦାସଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ ତାଙ୍କ ସ୍ୱାମୀ ଏବଂ ଶାଶୂଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଅଭିଯୁକ୍ତ ଦ୍ୱୟ ହେଲେ ତାରକେଶ୍ୱର ଦାସ (ସ୍ୱାମୀ) ଏବଂ ମାନସୀ ଦାସ(ଶାଶୂ) ବୋଲି ବ୍ରଜରାଜନଗର ଥାନା ଅଧିକାରୀ ବୈକୁଣ୍ଠ ବିହାରୀ ସେଠ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଦୀପିକାଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର ହେବାପରେ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ପୁଲିସ ଏନେଇ କେସ୍‌ ନଂ-୨୦୪/୨୧ରେ ଏକ ମାମଲା ରୁଜୁକରି ତଦନ୍ତ କରିବାସହ ଦୀପିକାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଦୀପିକା ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ହେଲେ ସ୍ୱାମୀ ତାରକେଶ୍ୱର ଏବଂ ଶାଶୂ ମାନସୀଙ୍କ ନିର୍ୟାତନା ଯୋଗୁଁ ଦୀପିକା ଆତ୍ମହତ୍ୟା କରିଥିବା ପୁଲିସ ତଦନ୍ତରୁ ଜଣାପଡିଛି । ସ୍ୱାମୀ ଏବଂ ଶାଶୂ ପ୍ରତିଦିନ ଛୋଟ ଛୋଟ କଥାରେ ଦୀପିକାଙ୍କୁ ଗାଳିଗୁଲଜ କରୁଥିଲେ । ସ୍ୱାମୀ ଓ ଶାଶୂଙ୍କ ଗାଳି, ନିର୍ୟାତନା ଓ ଅତ୍ୟାଚାର ସହ୍ୟ କରିନପାରି ଦୀପିକା ଆତ୍ମହତ୍ୟା କରିଥିଲେ । ଆଜି ବ୍ରଜରାଜନଗର ପୁଲିସ ଦୀପିକାଙ୍କ ସ୍ୱାମୀ ଓ ଶାଶୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।