ଭୁବନେଶ୍ୱର: ଏମିତି ଏକ ହକି ବିଶ୍ୱକପ୍ରେ ରାଜଧାନୀର ବଛାବଛା ଛକ ନିକଟରେ ଛାତିକୁ ଫୁଲାଇ ଠିଆ ହୋଇଥିଲା ‘ମୋ ସାଇକେଲ’ । ୨୫ ହଜାର ଟଙ୍କିଆ ସାଇକେଲ ବୋଲି ମନରେ ପ୍ରଚଣ୍ଡ ଅଂହକାର ଥିଲା । ମାତ୍ର ଚଳିତ ହକି ବିଶ୍ୱକପ୍ରେ ରାଜଧାନୀର କେତୋଟି ଛକରେ ହାତଗୋଡ଼ ଟେକି ସାଧାରଣ ଲୋକଙ୍କ ଅନୁକମ୍ପା ଭିକ୍ଷା କରୁଛି ‘ମୋ ସାଇକେଲ’ । ମାଙ୍କଡ଼ ହାତରେ ଶାଳଗ୍ରାମ ଭଳି ସରକାର ଯୋଉ ମୂଲ୍ୟବାନ ସାଇକେଲ କିଣି ରାସ୍ତାକଡ଼ରେ ରଖିଲେ । ସେଗୁଡ଼ିକ ଭିତରୁ ଅଧିକାଂଶ କବାଡିଆଙ୍କ ଗୋଦାମ ବାଟ ଦେଇ ନୂଆ ଜନ୍ମ ପାଇଲେଣି । କେତେକ କବାଡ଼ିଆଙ୍କ ଗୋଦାମରେ ପଡ଼ି ରହିଛନ୍ତି ।
ପୂର୍ତ ବିଭାଗ ପକ୍ଷରୁ ୮୦ କିମି ସାଇକେଲ ଟ୍ରାକ୍ ମରାମତି, ସାଇନ୍ ମାର୍କିଂ, ସାଇନ୍ ଏଜ୍ ମରାମତି, ଗାଲିଚା ବିଛା, ଲେନ୍ ମାର୍କିଂ ଚାଲିଛି । ସାଇକେଲ ଗଡ଼ିବାର ସମ୍ଭାବନା ନାହିଁ; ମାତ୍ର ସାଇକେଲ୍ ଟ୍ରାକ୍ରେ ରଙ୍ଗବୋଳା ଚାଲିଛି । ୧୧ ତାରିଖ ଦିନ ମଧ୍ୟ ରାଜଧାନୀର ଛାତିରେ ଥିବା ବହୁ ସାଇକେଲ୍ ଟ୍ରାକ୍ ଚିହ୍ନଟ ଚାଲିଛି । ବିମାନ ବନ୍ଦର ନିକଟ ବିଜୁ ପଟ୍ଟନାୟକ ପ୍ରତିମୂର୍ତି ନିକଟରେ ଥୁଆ ହୋଇଥିବା ‘ମୋ ସାଇକେଲ’ ଦେଖି ବହୁ ପର୍ଯ୍ୟଟକ ଉପହାସ କରୁଛନ୍ତି ।
ରାଜଧାନୀର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ଡିସିପିଙ୍କ ଦୃଢ଼ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ଭୁବନେଶ୍ୱର ରେଳଷ୍ଟେସନ୍ ଓ ବସଷ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଢିଲା ହୋଇଛି । ସୂଚନା ମୁତାବକ, ରେଳଷ୍ଟେସନରେ ଲଗେଜ ସ୍କାନର କାମ କରୁନି । ଟ୍ରେନରୁ ଓହ୍ଲାଉଥିବା ଯାତ୍ରୀଙ୍କର ଲଗେଜ ଯାଂଚ କରାଯାଉନି । ସହରରେ ଆନ୍ତର୍ଜାତିକ ଶ୍ରେଣୀର ହକି ପ୍ରତିଯୋଗିତା ହେବାକୁ ଯାଉଛି । ମାତ୍ର ଆନ୍ତର୍ଜାତିକ ମାନର ସୁରକ୍ଷା ବ୍ୟବସ୍ଥା ନାହିଁ ।
ଷ୍ଟେସନ୍ ପ୍ରବେଶ ପଥ ନିକଟରେ ପୁଲିସ ଶିବିରଟିଏ ସ୍ଥାପନ କରିଛି । କିନ୍ତୁ ସେଥିରେ ଜଣେ ହେଲେ ସୁରକ୍ଷା କର୍ମୀ ନ ଥିଲେ । ମାଷ୍ଟରକ୍ୟାଂଟିନ୍ ସିଟି ବସଷ୍ଟାଣ୍ଡ ଓ ବରମୁଣ୍ଡା ବସଷ୍ଟାଣ୍ଡ ସୁରକ୍ଷା ବ୍ୟବସ୍ଥା ଆହୁରି ଶୋଚନୀୟ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କେବଳ ବିମାନ ବନ୍ଦରଟିର ସୁରକ୍ଷା ପ୍ରତି ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ।