ନବୀନବାବୁଙ୍କ ଅମଳରେ ନବଦାସଙ୍କୁ ନ୍ୟାୟ ମିଳିବନି

ତେଣୁ ସିନ୍‌ ରିକ୍ରିଏସ୍‌ ସମୟରେ ଗୋପାଳ ମୁହଁରେ ସାମାନ୍ୟ ଅନୁଶୋଚନା ନଥିଲା…

ଭୁବନେଶ୍ୱର: ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ନ୍ୟାୟ ମିଳିବାର ସମ୍ଭାବନା ନାହିଁ ବୋଲି ଝାରସୁଗୁଡ଼ା ସଚେତନ ନାଗରିକ ମଂଚ ଅଭିଯୋଗ କରିଛି । ସଂଗଠନର ଆବାହକ ଆଇନଜୀବୀ ଅଶୋକ ମହାନ୍ତି କହନ୍ତି, କ୍ରାଇମ ବ୍ରାଂଚ ଏଡିଜି ଅରୁଣ ବୋଥ୍ରାଙ୍କ ତଦନ୍ତ ଉପରେ ଲୋକଙ୍କର ବିଶ୍ୱାସ ନାହିଁ । ଗୋପାଳ ଦାସ ଦୋଷ ସ୍ୱୀକାର କରିଥିଲେ ମଧ୍ୟ ପୁଲିସ ହାତରେ ସେଭଳି ଠୋସ୍‌ ପ୍ରମାଣ ନାହିଁ । ଝାରସୁଗୁଡ଼ା ବିମାନବନ୍ଦର ଥାନା ପାଇଖାନା ଟାଙ୍କିରୁ କିଛି କାଗଜ ଟୁକୁଡ଼ା ସାଉଁଟିବା ଓ ଗୋପାଳକୁ ସାଙ୍ଗରେ ଧରି ଅପରାଧିକ ସିନ୍‌ ରିକ୍ରିଏସନ୍‌ କରିଦେଲେ; ଲୋକମାନେ ସନ୍ତୁଷ୍ଟ ହୋଇଯିବେନି ।

ନବଦାସ କେମିତିଆ ଲୋକ ଥିଲେ ସେଥିରେ ଆମର ଯାଏ ଆସେ କିଛି ନାହିଁ । ମାତ୍ର ସାମାନ୍ୟ ଏଏସ୍‌ଆଇ ଏତେବଡ଼ ସାହସ କରିପାରିବନି । ଗୋପାଳ ଦାସ ପଛରେ ବିରାଟ ବିରାଟ ହାତ ରହିଛି । ତେଣୁ ସିନ୍‌ ରିକ୍ରିଏସ୍‌ ସମୟରେ ଗୋପାଳ ମୁହଁରେ ସାମାନ୍ୟ ଅନୁଶୋଚନା ନଥିଲା ।

ସେ ପୁଣି କହିଛନ୍ତି, ଗୋପାଳଙ୍କ ମାନସିକ ସ୍ଥିତି ଭଲ ନଥିଲା ବୋଲି ତାଙ୍କ ସ୍ତ୍ରୀ ଯାହା କହୁଛନ୍ତି । ତାହା ଯଦି ସତ୍ୟ ହୋଇଥାଏ; ତେବେ ପୁଲିସ ଗୋପାଳଙ୍କର କୋଉ ଦକ୍ଷତା ଓ ଯୋଗ୍ୟତାକୁ ପରଖି ବନ୍ଧୁକ ଓ ଗୁଳି ଦେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ନବଦାସଙ୍କ ଆମ୍ବୁଲାନ୍ସ ଆପୋଲୋ ହସ୍ପିଟାଲରେ ନ ପହଂଚୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ପହଂଚିବା । ମାମଲାଟି ଥଣ୍ଡା ପଡ଼ିବା ପର୍ଯ୍ୟନ୍ତ ତଦନ୍ତ ନାଟକ ଚଳାଇବା କ୍ରାଇମ୍‌ ବ୍ରାଂଚର ଅସଲ ଉଦ୍ଦେଶ୍ୟ ।