ନବଦାସଙ୍କ ହାତଲେଖା ଚିଠି କୋଉଠି?

ଖାଲି ଏତିକି କହିଥିଲେ ଯେ ଭବିଷ୍ୟତରେ ତାଙ୍କ ହାତଲେଖା ବିବରଣୀ ରାଜ୍ୟବାସୀଙ୍କ କାମରେ ଲାଗିବ…

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହାତଲେଖା ଚିଠିରୁ ହତ୍ୟ।। ଷଡ଼ଯନ୍ତ୍ରର ଗୁମର ଖୋଲିବ ବୋଲି ଝାରସୁଗୁଡ଼ାର ଜଣେ ଆଇନଜୀବୀ କହିଛନ୍ତି । ନିଜ ନାମକୁ ଗୋପନ ରଖିବା ସର୍ତରେ ସଂପୃକ୍ତ ଆଇନଜୀବୀ କହିଛନ୍ତି, ଗୋପାଳ ଦାସ ପଶାପାଲିର ଗୋଟିଟିଏ ମାତ୍ର । ତାକୁ ଚଳାଇଥିବା ଲୋକ ହିଁ ଅସଲ ଅପରାଧୀ । ମହାରାଷ୍ଟ୍ରରୁ ଫେରିବା ପରେ ନବ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ।

ଆଲୋଚନାର ପ୍ରସଙ୍ଗ, ଆଲୋଚନାର ଫଳାଫଳ ଓ ମାନସିକ ସ୍ଥିତି ସଂପର୍କୀତ ଏକ ବିବରଣୀଟିଏ ଲେଖି ଖୋଦ୍‌ ନବଦାସ ତାଙ୍କର ଜଣେ ଘନିଷ୍ଠ ସହକର୍ମୀଙ୍କୁ ଦେଇଛନ୍ତି । ଉକ୍ତ ବିବରଣୀରେ ନବଦାସଙ୍କ ହତ୍ୟା ଷଡ଼ଯନ୍ତ୍ରର ମାଷ୍ଟର୍‌ ମାଇଣ୍ଡ୍‌ ନାମ ଲେଖାଯାଇଛି । ଖୋଦ୍‌ ନବଦାସ ଜାଣିଥିଲେ, ତାଙ୍କୁ ମାରିବା ପାଇଁ ଉପରମହଲରୁ ଷଡ଼ଯନ୍ତ୍ର ଆରମ୍ଭ ହୋଇସାରିଛି ।

ଖାଲି ସେତିକି ନୁହେଁ, ଆସନ୍ତା ନିର୍ବାଚନରେ କୌଣସି ଥାନାରେ ଦଳର କୌଣସି ନେତାଙ୍କ ନାମରେ ସାମାନ୍ୟ ଅଭିଯୋଗ ଥିବାର ଜଣାପଡ଼ିଲେ, ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍‌ ଦିଆଯିବ ନାହିଁ ବୋଲି ନବଦାସ ସଂପୃକ୍ତ ଆଇନଜୀବୀଙ୍କ ଆଗରେ କହିଥିଲେ ।

‘ଆପଣଙ୍କୁ ଟିକେଟ୍‌ ମିଳିବ କି ନାହିଁ’ ପ୍ରଶ୍ନର ଜବାବରେ ନବଦାସ କହିଥିଲେ, ‘ମୋର ଦୁଇଟି ଟିକେଟ୍‌ ଦରକାର ଥିଲା । ହାଇକମାଣ୍ଡ ଗୋଟିଏ ଦେବାକୁ ରାଜି ଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏବେ ତାହା ମିଳିବା ଆଉ ଏକ ପ୍ରଶ୍ନ । ଖାଲି ମୋର ନୁହେଁ, ଏବେ ଯୋଉମାନେ ବିଧାୟକ ଅଛନ୍ତି, ସେମାନଙ୍କ ଭିତରୁ ପ୍ରାୟ ୬୦ ଜଣଙ୍କୁ ଟିକେଟ୍‌ ମିଳିବାର ନାହିଁ ।’

ସବୁକିଛି କହିଥିଲେ ମଧ୍ୟ ଯୋଉ ଘନିଷ୍ଠ କର୍ମୀଙ୍କ ନିକଟରେ ହାତଲେଖା ବିବରଣୀ ରଖିଛନ୍ତି, ତା’ର ନାମଟିକୁ ଆଇନଜୀବୀଙ୍କ ଆଗରେ ସ୍ପଷ୍ଟ କରି ନଥିଲେ ନବଦାସ । ଖାଲି ଏତିକି କହିଥିଲେ ଯେ ଭବିଷ୍ୟତରେ ତାଙ୍କ ହାତଲେଖା ବିବରଣୀ ରାଜ୍ୟବାସୀଙ୍କ କାମରେ ଲାଗିବ । ନବଦାସଙ୍କ ଏପରି ମନ୍ତବ୍ୟରୁ ହତ୍ୟାକାରୀ କିଏ ହୋଇଥିବ; ତାହା ସହଜରେ ଅନୁମାନ କରିହେବ । ମାତ୍ର ଅସଲ କଥାକୁ ଲୁଚ।।ଇବା ପାଇଁ ପୁଲିସ ବିଭାଗ ପକ୍ଷରୁ ରୀତିମତ କସରତ ଆରମ୍ଭ ହୋଇଛି ।