ଭୁବନେଶ୍ୱର(ଏସ୍ ନ୍ୟୁଜ ): ଆସନ୍ତା ୨୭ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ନାଗାର୍ଜୁନ ବେଶ । ଏନେଇ ବିଜୟା ଦଶମୀଦିନ ଆରମ୍ଭ ହୋଇଛି ନାଗାର୍ଜୁନ ବେଶର ନିର୍ମାଣ କାମ।ବେଶ କାରିଗରମାନେ ବେଶ ନିର୍ମାଣ ଆରମ୍ଭ କରିଛନ୍ତି ।
ତେବେ ନାର୍ଗାଜୁନ ବେଶ ପାଇଁ ହାଣ୍ଡିଆ, ତାଟି, ଦାଢି ଆଦି ଆବଶ୍ୟକ ମାପ ଅନୁଯାୟୀ ନିର୍ମାଣ କରାଯାଇଛି । ସୋଲ , ଜରି ଓ ଜାମ୍ବୁରା ଆଦିରେ ବେଶ କରାଯିବ। ଦୀର୍ଘ ୨୬ ବର୍ଷ ପରେ ଏହି ବେଶ ଅନୁଷ୍ଠିତ ହେଉଥିବା ବେଳେ କରୋନା କଟକଣା ଯୋଗୁଁ ଏଥର ନାଗାର୍ଜୁନ ବେଶକୁ ଦର୍ଶନ କରିପାରିବେନି ଭକ୍ତ ।ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ପାର୍ବତ୍ୟ ବେଶ ପାଇଁ ଆବଶ୍ୟକ ବେଶ ସାମଗ୍ରୀକୁ କାରିଗର, ବସନ୍ତ କୁମାର ରଣା, ସତ୍ୟ ନାରାୟଣ ବେହେରା, ସନ୍ତୋଷ କୁମାର ମିଶ୍ର, ବାପି ମାଝି, ଲୋକନାଥ ମହାପାତ୍ର, ରଘୁନାଥ ବେହେରା ପ୍ରମୁଖ ପ୍ରସ୍ତୁତ କରୁଛନ୍ତି।
ତେବେ ପବିତ୍ର କାର୍ତ୍ତିକ ଦ୍ବାଦଶୀ ତିଥିରେ ଏହି ବେଶ ଅନୁଷ୍ଠିତ ହେବ। ସେହି କାର୍ତ୍ତିକ ମାସରେ ୬ ଦିନ ପଞ୍ଚୁକ ପଡ଼ୁଥିବାରୁ ଅତିରିକ୍ତ ଦିନିଟି ନାଗାର୍ଜୁନ ବେଶ ହେବ। ଶେଷ ଥର ଏହି ବେଶ ୧୯୯୪ରେ ହୋଇଥିଲା। ସେତବେଳେ ୧୦ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପରିଚାଳନା ଗତ ତ୍ରୁଟି ଯୋଗୁଁ ଭକ୍ତ ପ୍ରାଣ ହରାଇଥିଲେ। ଏହି ବେଶରେ ମହାପ୍ରଭୁଙ୍କ ବୀର ତଥା ପାର୍ବତ୍ୟ ବେଶରେ ସଜ୍ଜିତ ହୋଇଥା’ନ୍ତି। ଅନ୍ୟ ବେଶଠାରୁ ଏହା ବିରଳ ଓ ଆକର୍ଷଣୀୟ। ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ଦର୍ଶନ କରିବାକୁ ହଜାର ହଜାର ସଂଖ୍ୟାରେ ସାଧୁ ସନ୍ଥ ପୁରୀକୁ ଆସିଥା’ନ୍ତି। ତଥ୍ୟ ମୁତାବକ ୧୯୬୬, ୧୯୮୩ ଓ ୧୯୯୩ ଓ ୧୯୯୪ରେ ଏହି ବେଶ ଅନୁଷ୍ଠିତ ହୋଇଥିଲା। ଏହା ପରଠାରୁ ଏ ତିଥି ଆସିନଥିଲା ।
ବେଶ ପାଇଁ ମହାପ୍ରଭୁଙ୍କ ଅଣ୍ଟାରେ ନାଗା ତାଟି ଭିଡ଼ାଯାଏ। ଧନୁଶର ପୂର୍ଣ୍ଣ ତୁଣୀର, କୁଟାରି, ଛୁରି ବାଘନଖ, ଏରାପକ୍ଷୀର ପର ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ବେଶ ପାଇଁ ଶ୍ରୀହସ୍ତ, ଶ୍ରୀପୟର ଲାଗି ହୋଇଥାଏ। ମହାପ୍ରଭୁ ଉଭୟ ହସ୍ତରେ ଦୁଇଟି ଓଳମାଳି ଧରିଥା’ନ୍ତି। ବିଭିନ୍ନ ମାଳିରେ ମହାପ୍ରଭୁଙ୍କ ବେଶ ହୋଇଥାଏ। ସୁଭଦ୍ରାଙ୍କ ମସ୍ତକରେ ସୁନାର ମୁକୁଟ, ଚନ୍ଦ୍ରିକା, କର୍ଣ୍ଣ ଅଳଙ୍କାର ମଧ୍ୟ ଲାଗି ହୋଇଥାଏ। ଏହାକୁ ମହାପ୍ରଭୁଙ୍କ ପର୍ଶୁରାମ ବେଶ ବୋଲି ମଧ୍ୟ କୁହାଯାଇଥାଏ। ହିମାଚଳ ପ୍ରଦେଶର ଜଣେ ସନାତନ ବ୍ରାହ୍ମଣ ଏହି ବେଶର ପ୍ରଚଳନ କରିଥିବା କୁହାଯାଏ ।