ଭୁବନେଶ୍ୱର: ବାଣଫୁଟା’ର ନାମକରଣକୁ ଅନୁସରଣ କଲେ ଆପଣ ଚୀନରେ ପହଂଚିଯିବେ । ପ୍ରାକୃତିକ ବାଣ କହିଲେ ‘ବାଉଁଶ ଫୁଟା’କୁ ବୁଝାଉଥିଲା । ସାଧାରଣତଃ ଶୁଖିଲା ବାଉଁଶରେ ନିଅାଁ ଲଗାଇଲେ, ତା’ର ଗଣ୍ଠିମାନ ଫୁଟିବା ଆରମ୍ଭ କରେ । ବାଉଁଶ ଫୁଟାରୁ ବାହାରୁଥିବା ଶବ୍ଦ କ୍ରମେ ଅପଭ୍ରଂଶ ହୋଇ ଫୋଟକା ରଖାଗଲା । ବାଣଗୁଡ଼ିକ ବାରୁଦରୁ ସୃଷ୍ଟି । ଲୋକମାନେ ବାରୁଦକୁ ବିଭିନ୍ନ ରୂପ ଦେଇ ବାଣ ତିଆରି କରନ୍ତି । ତାଳ ଫୋଟକା, ଲକ୍ଷ୍ମୀବୋମା, ରକେଟ୍, କୁମ୍ପି, ଲଙ୍କାବାଣ ପ୍ରଭୃତି ଆମେ ବ୍ୟବହାର କରିଥାଉ । ଦୀପାବଳି ସମେତ ବିଭିନ୍ନ ପର୍ବପର୍ବାଣୀରେ ଲୋକମାନେ ବାଣ ଫୁଟାଇଥାନ୍ତି । ବର ଶୋଭାଯାତ୍ରା, ନିର୍ବାଚନ ଶୋଭାଯାତ୍ରାରେ ବାଣ ଫୁଟାଯିବା ନିହାତି ଜରୁରୀ ତା’ ନହେଲେ ବାହାଘର ଓ ନିର୍ବାଚନ ବିଜୟ ଫିକା ପଡ଼ିଯାଏ ।
ବାରୁଦର ଜନ୍ମ ଷଷ୍ଠରୁ ନବମ ଶତାବ୍ଦୀ ଭିତରେ । ଚୀନ ଶାସକମାନେ ପ୍ରଥମେ ବାରୁଦ ବ୍ୟବହାର କରିଥିଲେ । ଚୀନର ଲୋକମାନେ ପ୍ରଥମେ ପଟାସିଅମ ନାଇଟ୍ରେଟ୍, ସଲଫର ଓ କୋଇଲା ଗୁଣ୍ଡକୁ ବ୍ୟବହାର କରି ପ୍ରଥମେ ବାରୁଦ ତିଆରି କଲେ । ବିଶାଳ ସାମ୍ରାଜ୍ୟ ଗଠନ କରିବା ପାଇଁ ଚୀନ ରାଜବଂଶ ବାରୁଦରୁ ଗୁଳି, ରକେଟ୍ ଓ ବୋମା ତିଆରି କଲେ । ଗୁଳି ପାଇଁ ବନ୍ଧୁକ, ରକେଟ୍ ପାଇଁ କମାଣ ତିଆରି କଲେ । ଯୁଦ୍ଧରେ ଗୁଳି ଓ ବୋମା ବ୍ୟବହାର କରାଗଲା । ରାଜ୍ୟଜୟ କରି ଫେରୁଥିବା ରାଜା ଓ ବିଶାଳସେନାକୁ ବାଣ ଫୁଟାଇ ରାଜଧାନୀ ଭିତରକୁ ପାଛୋଟି ନେଉଥିଲେ ।
ଚୀନର ଲୋକମାନଙ୍କ ମନରେ ଏକ ଧାରଣା ରହିଛି ଯେ ବାଉଁଶ ଜଳୁଥିବା ସମୟରେ ଗଣ୍ଠି ଫୁଟିଲେ, ଅତୃପ୍ତ ଆତ୍ମାଗୁଡ଼ିକ ମୋକ୍ଷଲାଭ କରନ୍ତି । ବାଉଁଶ ଭିତରେ ବାରୁଦ ପୁରାଇ ନିଅାଁ ଲଗାଇ ଦିଆଯିବା ଫଳରେ ବିରାଟ ଶବ୍ଦ କଲା । ପରେପରେ ବାଉଁଶର ସ୍ଥାନ ପୂରଣ କରିଛି କାଗଜ । ଆଜିକାଲି କାଗଜକୁ ବିଭିନ୍ନ ରୂପ ଦେଇ ତା’ ଭିତରେ ବାରୁଦ ଭରି ଦିଆଯାଉଛି ।