ଜାତୀୟ ପ୍ରେସ ଦିବସ: ବ୍ୟକ୍ତିଗତ,ରାଜନୈତିକ ସ୍ୱାର୍ଥ ନୁହେଁ ସ୍ୱଚ୍ଛ ଓ ନିରପେକ୍ଷ ହେଉ ସାମ୍ବାଦିକତା

ଭୁବନେଶ୍ୱର: ଭାରତରେ ସାମ୍ବାଦିକତାର ସ୍ୱାଧୀନତା ଓ ଆଦର୍ଶକୁ ବଜାୟ ରଖିବା ପାଇଁ ୪ ଜୁଲାଇ ୧୯୬୬ ରେ ପ୍ରେସ ପରିଷଦ ଗଠନର ପରିକଳ୍ପନା କରାଯାଇଥିଲା । ଆଉ ଏହା ନଭେମ୍ବର ୧୬ ପୂର୍ଣ୍ଣାଙ୍ଗ କାର୍ଯ୍ୟକାରୀ ହେଲା । ସେହିଦିନ ଠାରୁ ଏହି ଦିବସକୁ ପ୍ରେସ ଦିବସ ଭାବେ ପାଳନ କରାଯାଏ । ଗଣମାଧ୍ୟମକୁ ସ୍ୱାଧୀନ ଓ ଦାୟିତ୍ୱବୋଧର ସହ କାର୍ଯ୍ୟ ସମ୍ପାଦନା କରିବା ପାଇଁ ନଭେମ୍ବର ୧୬କୁ ଦେଶରେ ପ୍ରେସ ଦିବସ ଭାବେ ପାଳନ କରାଯାଉଠିବା ବେଳେ ଗଣତାନ୍ତ୍ରିକ ଶାସନକୁ ସୁଦୃଢ କରିବା ପାଇଁ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ବ୍ୟକ୍ତିଗତ କି ରାଜନୈତିକ ସ୍ୱାର୍ଥ ନୁହେଁ ସ୍ୱଚ୍ଛ ଓ ନିରପେକ୍ଷ ଖବର ପ୍ରସାରଣ କରିବା ପାଇଁ ସାମ୍ବାଦିକତାଟିଏ କାର୍ଯ୍ୟ କରୁ ଏବଂ ସେହି ଦିଗରେହିଁ ଖବର ପ୍ରସାରଣ ହେଉ। କାରଣ ସାମ୍ବାଦିକତା ନିରପେକ୍ଷ ଏବଂ ନିର୍ଭୀକ ଭାବେ ଖବର ପ୍ରସାରଣ କରିବା ଭଳି ଗୁରୁ ଦାୟିତ୍ୱ ତୁଲେଇବାକୁ ଯାଇ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥାନ୍ତି ସାମ୍ବାଦିକ। ଘରେ ବସି ଲୋକେ ସହଜରେ ଖବର ପାଇବା ପଛରେ ପ୍ରେସର ଭୂମିକା ଅତୁଳନୀୟ। ଖବର ଯୋଗାଡ଼ ଠାରୁ ଆରମ୍ଭ କରି ପରିବେଷଣ ଯାଏଁ ଜଣେ ସାମ୍ବାଦିକ କେତେ ଯେ କଷ୍ଟ କରିବାକୁ ପଡ଼େ । ସାଧାରଣ ଲୋକଙ୍କ କଟାକ୍ଷ, ରାଜନୈତିକ ଚାପ ଶିକାର ଏମିତି ଅନେକ ଯାତନା ମଧ୍ୟରେ ଗତିକରୁଥିବା ସାମ୍ବାଦିକ କିଛିବି ପରିସ୍ଥିତିରେ ଖବର ସଂଗ୍ରହ କରେ ଓ ସମାଜର ଆଇନ ହୋଇ କାର୍ଯ୍ୟକରେ। ଆଉ ଏହି ମୁକ୍ତ ,ନିଚ୍ଛକ,ନିର୍ଭିକ ସାମ୍ବାଦିକତା ଆଜିବି ଆମର କର୍ତ୍ତବ୍ୟ ହେଉ ରହୁ ଓ ଦେଶର ଜାଗ୍ରତ ପ୍ରହରୀ ଭାବେ ସାମ୍ବାଦିକଟିଏ ନିଜର କାର୍ଯ୍ୟ ସମ୍ପାଦନ କରୁ । ସାମ୍ବାଦିକ ନ ଭୁଲନ୍ତୁ ତାଙ୍କ ଦାୟିତ୍ୱ । ତେବେ ଯାଇ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ।

ସେହିପରି ସ୍ୱାଧୀନ ମତବ୍ୟକ୍ତ କରିବା ଓ ସୂଚନା ଜାଣିବା ଭଳି ମୌଳିକ ଅଧିକାରକୁ ଗୁରୁତ୍ୱ ଦେବା ଏହି ଦିବସର ମୁଖ୍ୟ ତାତ୍ପର୍ଯ୍ୟ । ବାକ୍ ସ୍ୱାଧୀନତା ଓ ସ୍ୱାଧୀନ ମତ ପ୍ରକାଶ କରିବା ଭଳି ମୌଳିକତାକୁ ବଜାୟ ରଖିବା ସାମ୍ବାଦିକର କର୍ତ୍ତବ୍ୟ । କିନ୍ତୁ ଆଜିର ଦିନରେ ପ୍ରେସ ଏକ ଚାପଗ୍ରସ୍ତ ସଂସ୍ଥା ଭାବେ ଉଭା ହୋଇଛି । କେଉଁଠି ନା କେଉଁଠି ‘ଫ୍ରିଡ଼ମ ଅଫ ଏକ୍ସପ୍ରେସନକୁ’ ଦବାଇବାକୁ ଚେଷ୍ଟା କରାଯାଉଛି । ରାଜନୈତିକ ହସ୍ତକ୍ଷେପ ଯୋଗୁଁ ସଂସ୍ଥା ମାନେ ବିକ୍ରି ହେଇଯାଉଛନ୍ତି। ଏହାଦ୍ୱାର ସଠିକ ଖବର ପାଇବା ଭଳି ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଛି ଜନତାଙ୍କର । ଯଦି ଆଉ ଗୋଟେ ଦିଗ ସଂସ୍ଥାର ଆୟ ପ୍ରତି ତର୍ଜମା କରାଯାଏ ତେବେ ପ୍ରେସ ମାନେ ଏକ ପ୍ରକାର ରାଜନୈତିକ ଦଳ ଏବଂ ବିଜ୍ଞାପନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ତେବେ ଆସୁଥିବା ଆୟ ଭିତ୍ତିରେ ଖବର ପରିବେଷଣ କରିବାକୁ ଏକରକମ ବାଧ୍ୟ ସଂସ୍ଥା ମାନେ । ଏଥିପାଇଁ ଖବର ପ୍ରସାରଣର ମାନର ଗୁଣାତ୍ମକତା କମିବାରେ ଲାଗିଛି । ଏନେଇ ଅନେକ ଅସମାହିତ ପ୍ରଶ୍ନ ଛିଡ଼ାହୋଇଛି । କଣ ଆଜି ଭାରତର ସାମ୍ବାଦିକ ଏକ ନୂଆ ମୋଡ ନେଇଛି ,କଣ ସରକାର ଗଣମାଧ୍ୟମର କଣ୍ଠରୋଧ କରୁଛିକି, ନା ସତ୍ୟର ଉନ୍ମୋଚନକୁ ନେଇ ମୃତ୍ୟୁକୁ ଆମନ୍ତ୍ରଣ କରୁଛି ସାମ୍ବାଦିକତା ଏମିତି ଅନେକ ..। ଏହାରି ଭିତରେ ସ୍ୱଚ୍ଛ ଓ ନିରପେକ୍ଷ ସାମ୍ବାଦିକତା ଆଉ ବଞ୍ଚିରହିଛିକି ନାହିଁ ଏହା ସବୁଠାରୁ ବଡ ପ୍ରଶ୍ନ ହୋଇ ରହିଯାଇଛି ।

୧୮୦ ଦେଶ ମଧ୍ୟରୁ ଭାରତ ପ୍ରେସ ସ୍ୱାଧୀନତା କ୍ଷେତ୍ରରେ ୧୪୨ ନମ୍ବର ସ୍ଥାନରେ ରହିଥିବାବେଳେ ସ୍ୱଚ୍ଛତା ତଥା ଦୁର୍ନୀତି ମୁକ୍ତ ତାଲିକାରେ ୮୦ ରେଙ୍କରେ ରହିଛି ବିଶ୍ୱରେ । ଦୁର୍ନୀତି ମୁକ୍ତ ତାଲିକାରେ ବିଶ୍ୱରେ ୮ମ ଏବଂ ପ୍ରେସ ସ୍ୱାଧୀନତା ତାଲିକାରେ ପ୍ରଥମ ସ୍ଥାନରେ ନରୱେ ରହିଛି ।ସାମ୍ବାଦିକ ମାନଙ୍କ ଉପରେ ଚାପ ସୃଷ୍ଟି କରିବା, ଧମକ ଦେବା, ଅଫିସ ଭାଙ୍ଗିବା, ହତ୍ୟା କରିବା ଭଳି ଅନେକ ନଜିର ରହିଛି ଭାରତରେ । ଏହା ଗଣମାଧ୍ୟମର ସ୍ୱାଧୀନତା ଉପରେ କୁଠାରଘାତ ନୁହେଁ ତ ଆଉ କଣ ? ୧୯୯୨ ରୁ ଏଯାବତ ୪୨ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଗଲାଣି ଭାରତରେ । ବେଙ୍ଗାଲୁରୁ ଗୌରୀ ଲଙ୍କେଶ, ତ୍ରିପୁରାର ସାନ୍ତୁଣୁ ଭୌମିକ ଏହାର ଜ୍ୱଳନ୍ତ ଉଦାହରଣ ।

ଅନ୍ୟପଟେ ଇଣ୍ଟରନେଟ, ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର ଏବେ ନିରପେକ୍ଷ ଗଣମାଧ୍ୟମ ପାଇଁ ନୂତନ ଏକ ସୁଯୋଗ ସୃଷ୍ଟି କରିଛି। ଖବରକୁ ଖୁବ ଶ୍ରୀଘ୍ର ପହଞ୍ଚାଇବା ପାଇଁ ଏହି ପ୍ଲାଟଫର୍ମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛି ଆଜିର ଦିନରେ । ମୋର୍ଗାନ ଷ୍ଟେନଲି ନାମକ ଏକ ସର୍ବେକ୍ଷଣ ସଂସ୍ଥା ମୁତାବକ ୨୦୨୦ରେ ୩୫ବର୍ଷରୁ କମ ପାଠକଙ୍କ ସଂଖ୍ୟାର ଶତକଡା ୫୬% ଅନଲାଇନରେ ପଢିବାକୁ ପସନ୍ଦ କରୁଥିବା ବେଳେ,ଟେଲିଭିଜନ ୨୬% ଏବଂ ଖବରକାଗଜ ୧୬% ଦେଖିବାକୁ ପସନ୍ଦ କରୁଛନ୍ତି । ତେବେ ଆଗାମୀ ଦିନରେ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଏହା ଏକ ଶୁଭ ସଙ୍କେତ। ଏହା ପ୍ରେସ ସ୍ୱାଧୀନତା ବଜାୟ ରଖିବାର ନିଶ୍ଚୟ ସହାୟକ ହେବ ।

ତେବେ ଏସବୁ ସତ୍ତ୍ୱେ ମଧ୍ୟ ସାମ୍ବାଦିକତାର ଦେଶ ନିର୍ମାଣ ଦିଗରେ ସଂଗ୍ରାମ ଜାରି ରହିବା ଦରକାର। ଆଉ ରାଜନୀତିରୁ ଉର୍ଦ୍ଧ୍ବରେ ରହି ସାମାଜିକ, ଅର୍ଥନୈତିକ, ସମାରିକ ପୃଷ୍ଠଭୂମି ବିକାଶ ଦିଗରେ କାର୍ଯ୍ୟ କରିବା ସହ ଶାନ୍ତି, ସଦଭାବନା, ସାମାଜିକ ନ୍ୟାୟକୁ ମଧ୍ୟ ଅଗ୍ରାଧିକାର ଦେବା ଜରୁରୀ । ତେବେ ଯାଇ ଗଣମାଧ୍ୟମର ମାନ ବୃଦ୍ଧି ପାଇବା ସହ ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ହୋଇପାରିବ ।