କେବଳ ଆଞ୍ଚଳିକ ଦଳ ହିଁ ଓଡ଼ିଶାବାସୀଙ୍କ ସ୍ୱପ୍ନ ପୂରଣ କରିପାରିବ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଯୁବପୀଢ଼ିଙ୍କୁ ମନର କଥା କହିବା ଅବସରରେ ଓଡ଼ିଶାର କଳା, ସଂସ୍କୃତି, ଗର୍ବ ଓ ଗୌରବମୟ ଇତିହାସ ସମ୍ପର୍କରେ କହିଛନ୍ତି । ଆଉ କେବଳ ଆଞ୍ଚଳିକ ଦଳ ହିଁ ଓଡ଼ିଶାବାସୀଙ୍କ ସ୍ୱପ୍ନ ପୂରଣ କରିପାରିବ ବୋଲି କହିଛନ୍ତି ।ରାଜ୍ୟର ଏକମାତ୍ର ଆଞ୍ଚଳିକ ଦଳ ଭାବେ ବିଜେଡି ହିଁ ଓଡ଼ିଶା ଲୋକଙ୍କ ପାଇଁ ଲଢ଼ୁଛି। ବିଜେଡି ହିଁ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ।

ଏହାସହ ବିଜେଡି ସୁପ୍ରିମୋ ଜାତୀୟ ଦଳକୁ ଟାର୍ଗେଟ କରିଥିଲେ । କେନ୍ଦ୍ର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖୁଥିବା କହିଛନ୍ତି ନବୀନ। ନିର୍ବାଚନ ବେଳେ ଉଭୟ ବିଜେପି ଓ କଂଗ୍ରେସ ଇସ୍ତାହାରରେ ସ୍ୱତନ୍ତ୍ର ପାହ୍ୟା କଥା କହିଥିଲେ। ହେଲେ ନିର୍ବାଚନ ପରେ ସବୁ କଥା ଭୁଲି ଯାଇଛନ୍ତି ବୋଲି ନବୀନ କହିଛନ୍ତି। ତେଣୁ ଆଉ ଆଞ୍ଚଳିକ ଦଳ ଭାବେ ବିଜେଡି ସ୍ୱତନ୍ତ୍ର ଓଡ଼ିଶା ଗଠନରେ କାର୍ଯ୍ୟ କରୁଛି ବୋଲି କହିଥିଲେ। କେନ୍ଦ୍ରୀୟ ଦଳରେ ରାଜ୍ୟ ନେତାମାନଙ୍କର ଗୁରୁତ୍ୱ ନଥିବା ସେ କହିଥିଲେ । କେବଳ ଆଞ୍ଚଳିକ ଦଳ ହିଁ ଓଡ଼ିଶାବାସୀଙ୍କ ସ୍ୱପ୍ନ ପୂରଣ କରିପାରିବ । ରାଜ୍ୟର କଂଗ୍ରେସ ଓ ବିଜେପି ଦିଲ୍ଲୀ ନିର୍ଦ୍ଦେଶରେ କାମ କରୁଛି ବୋଲି ନବୀନ କହିଛନ୍ତି। ଆମର ଦିଲ୍ଲୀରେ କେହି ମୁଖିଆ ନାହାନ୍ତି। ରାଜ୍ୟବାସୀଙ୍କ ବିକାଶ ହିଁ ଦଳର ବିକାଶ । ଦଳ ସାଲିସବିହୀନ ରାଜନୀତିରେ ବିଶ୍ୱାସ କରେ । ଦଳ ସର୍ବଦା ରାଜ୍ୟବାସୀଙ୍କ ପାଇଁ ଲଢ଼େଇ କରିଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।

ଓଡ଼ିଶାବାସୀଙ୍କୁ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରିବାକୁ ଦଳର ସଭାପତି ପରାମର୍ଶ ଦେଇଥିଲେ । ଓଡ଼ିଶା ଖଣିଜ ସମ୍ପଦରେ ଭରପୁର ହୋଇ ରହିଛି । ଓଡ଼ିଶାର ଖଣିଜ ସମ୍ପଦ ଓଡ଼ିଶାବାସୀ କେମିତି ପାଇବେ ଲଢ଼େଇ କରନ୍ତୁ । ଓଡ଼ିଶାବାସୀ ହେଉଛନ୍ତି ଆମର ବସ । ଓଡ଼ିଆ ଭାଷା, କଳା ଓ ସଂସ୍କୃତି ହେଉଛି ଆମ ପାଇଁ ଅନନ୍ୟ । ଆମ ପାଇଁ ଆମ ଭାଷା ଗୁରୁତ୍ୱପୂର୍ଣ୍ଣ । ଓଡ଼ିଆ ସଙ୍ଗୀତ ହିଁ ଆମର ଶାସ୍ତ୍ରୀୟ ସଙ୍ଗୀତ । ରାଜ୍ୟର ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି । ଓଡ଼ିଆ ଭାଷାର ମହତ୍ତ୍ୱ ହିନ୍ଦୀଠାରୁ ବହୁତ ଅଧିକ ବୋଲି ଅଭିଭାଷଣରେ କହିଥିଲେ ।

ସେହିପରି ଜଗନ୍ନାଥ ମହାପ୍ରଭୁ ଓ ସଂସ୍କୃତି ପ୍ରତି ଓଡ଼ିଆଙ୍କର ଜୀବନଧାରା । ଓଡ଼ିଶାବାସୀଙ୍କର ଜୀବନରେଖା ମହାନଦୀ ପବିତ୍ର ଓଡ଼ିଶା ମାଟିକୁ ଧନ୍ୟ କରିଛି । ସମ୍ବଲପୁରୀ ଶାଢ଼ି ହେଉଛି ରାଜ୍ୟର ଗର୍ବ ଓ ପରିଚୟ । ଓଡ଼ିଶାର ବିକାଶ ପାଇଁ ଯୁବପୀଢ଼ି ଲଢ଼େଇ ଜାରି ରଖିବା ଆବଶ୍ୟକ ବୋଲି ସୁପ୍ରିମୋ କହିଥିଲେ ।