ହବିଷ୍ୟାଳିଙ୍କୁ ନବୀନ ପଟ୍ଟନାୟକଙ୍କ ଅପମାନ

ସେବାୟତଙ୍କ ଜରିଆରେ ମାଡ଼ ମାରିଲେ

ମାଗଣାଖିଆ କହି ଟାହିଟାପରା କଲେ…

ପୁରୀ: ହବିଷ୍ୟାଳିଙ୍କୁ ସରକାରୀ ଆତିଥେୟତା ପ୍ରଦାନ କରି ସେମାନଙ୍କୁ ସେବାୟତଙ୍କ ଜରିଆରେ ମାଡ଼ ମାରିବା ଓ ମାଗଣାଖିଆ କହି ଅପମାନିତ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାହାଦୁରି । ଗର୍ବ ଓ ଅହଙ୍କାରର ଚରମ ସୀମାରେ ପହଂଚି ମୁଖ୍ୟମନ୍ତ୍ରୀ, ସେବାୟତ ଓ ଜେଟିପି କର୍ମଚାରୀମାନେ ହବିଷ୍ୟାଳିମାନଙ୍କୁ ଯେଉଁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ତା’ର ପରିଣାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ କମ୍‌ ଦିନ ଭିତରେ ଭୋଗିବେ ।’ ଆଜି ଏ ପ୍ରକାର ମନ୍ତବ୍ୟ ପ୍ରଦାନ କରିଛନ୍ତି ଏନ୍‌ୟୁବିସି ନେତା ସୀତାରାମ ବେହେରା । ସେ ପୁଣି କହିଛନ୍ତି, ‘କାହିଁ କେଉଁ ଅମଳରୁ ପବିତ୍ର କାର୍ତିକ ମାସ ଆରମ୍ଭ ହେବା ମାତ୍ରେ ହବିଷ୍ୟାଳିମାନେ ଆନନ୍ଦ ମନରେ ପୁରୀକୁ ଆସି ରାଇଦାମୋଦର ବ୍ରତ କରନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ବାଇଶି ପାହାଚରେ ବସି ଆରାଧନା କରନ୍ତି । ଶ୍ରୀମନ୍ଦିର ଚାରିପାଖରେ ଦଣ୍ଡାୟମାନ ମଠ ଓ ଆଶ୍ରମଗୁଡ଼ିକ ହବିଷ୍ୟାଳିମାନଙ୍କୁ ସ୍ୱାଗତ କରି ସେମାନଙ୍କୁ ଆତିଥେୟତା ପ୍ରଦାନ କରିଥାନ୍ତି । ପରେ ରାଜ୍ୟ ସରକାର ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ଥଇଥାନ ବ୍ୟବସ୍ଥା କରି ଆସୁଛନ୍ତି ।

ଚଳିତ କାର୍ତିକ ମାସରେ ଶ୍ରୀମନ୍ଦିର ଓ ସରକାରୀ ଥଇଥାନ କେନ୍ଦ୍ରରେ ହବିଷ୍ୟାଳିମାନେ ବହୁ ତିରସ୍କାରର ସମ୍ମୁଖୀନ ହୋଇଛନ୍ତି । ହବିଷ୍ୟାଳିମାନଙ୍କ ପାଇଁ ସ୍ୱତନ୍ତ୍ର ଥଇଥାନର ବ୍ୟବସ୍ଥା କରିବା ଓ ପରେ ଅପମାନିତ କରିବା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସଲ ଉଦ୍ଦେଶ୍ୟ ଜଣାପଡୁନି । ଘରକୁ ଅତିଥିଙ୍କୁ ଆମନ୍ତ୍ରଣ କରି ଅପମାନିତ କରିବା ପୁରୀ ଜିଲ୍ଲାପାଳ, ପୁରୀ ପୁଲିସ ଅଧୀକ୍ଷକ ଓ ମୁଖ୍ୟମନ୍ତ୍ରୀଙ୍କ ପକ୍ଷେ ଉଚିତ ହୋଇନାହିଁ । ମହାପ୍ରଭୁ ଜଗନ୍ନାଥଙ୍କ ଶରଣାପନ୍ନ ହବିଷ୍ୟାଳିଙ୍କୁ ମାଡ଼ ମରାଇ ଓ ମାଗଣାଖିଆ କୁହାଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସେମାନଙ୍କୁ ଆଉ କେବେ ପୁରୀକୁ ନ ଆସିବା ପାଇଁ ଏକପ୍ରକାର ଚେତାବନୀ ଦେଇଛନ୍ତି ବୋଲି ଏନ୍‌ୟୁବିସି ନେତା ସୀତାରାମ କଟାକ୍ଷ କରିଛନ୍ତି । ପୁରୀକୁ ହବିଷ୍ୟାଳିମାନଙ୍କ ଆଗମନ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଖୁବ ସୁନ୍ଦର ଯୋଜନା କରିଛନ୍ତି । ମାତୃସ୍ଥାନୀୟା ହବିଷ୍ୟାଳିଙ୍କୁ କିପରି ବ୍ୟବହାର ପ୍ରଦର୍ଶନ କରାଯିବା ଦରକାର, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସେବାୟତ ଓ ଜେଟିପି କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କର ମରଣ କାଳେ ବିପରୀତ ବୁଦ୍ଧି ଜାଗ୍ରତ ହୋଇଛି ବୋଲି ଏନୟୁବିସି କହିଛି ।

ସୂଚନାଯୋଗ୍ୟ, ବୃନ୍ଦାବନ ନିବାସର ତୃତୀୟ ମହଲା ୩୦୨ ନମ୍ବର କକ୍ଷରେ ରହୁଥିବା ହବିଷ୍ୟାଳି ଶୈଳବାଳା ପଣ୍ଡା (୭୩) ସେବାୟତ ଓ ଜେଟିପିଙ୍କ କ୍ରୋଧର ଶିକାର ହୋଇଛନ୍ତି । ଅତୀତରେ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଅପମାନିତ କରାଯାଉଥିବା ଘଟଣାରେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରି ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ଆଦେଶ ଦେଇଥିଲେ । ମାତ୍ର ତାହାକୁ ଶ୍ରୀମନ୍ଦିର ପ୍ରଶାସନ ପାଳନ କରୁନାହାନ୍ତି । ଏକମାତ୍ର ଶୈଳବାଳା ନୁହନ୍ତି, ଆହୁରି ଅନେକ ହବିଷ୍ୟାଳି ସମାନ ଅଭିଯୋଗ କରି ସେବାୟତ ଓ ଜେଟିପିଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ଦଣ୍ଡ ଦାବି କରିଛନ୍ତି ।
ସେବାୟତ ଓ ଜେଟିପିମାନେ ଗଣତନ୍ତ୍ରର ବରିଷ୍ଠ ମାଲିକଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବା ଉଚିତ । ରାଜ୍ୟ ସରକାର କହିଲେ ସାଢେ଼ ଚାରିକୋଟି ଲୋକଙ୍କ ସରକାର । ସାଢେ଼ ଚାରିକୋଟି ଲୋକଙ୍କୁ ଉଚିତ ସମ୍ମାନ ପ୍ରଦର୍ଶନ କରିବା ସେବାୟତ ଓ ଜେଟିପିଙ୍କ କର୍ତବ୍ୟ । ମାତ୍ର ଗର୍ବ ଓ ଅହଙ୍କାରର ଶିକାର ହୋଇ ସେମାନେ ଏପରି ଦୁର୍ବ୍ୟବହାର କାହା ସାହସରେ ଦେଖାଇଛନ୍ତି? ତା’ର ଜବାବ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବା ଉଚିତ ।