ଭୁବନେଶ୍ୱର,(ଏସ୍ ନ୍ୟୁଜ)ତା ୦୨/୦୬: ଟିକା ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଟିକା ସଙ୍କଟ ଦୂର କରିବା ପାଇଁ ସେ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି। ଟିକା ପାଇଁ ପରସ୍ପର ଭିତରେ ନଲଢ଼ି, ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି। ଏବେ ଲୋକଙ୍କୁ ସୁରକ୍ଷା ଦେବାର ଏକମାତ୍ର ମାଧ୍ୟମ ହେଉଛି ଟିକା। ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ। କେନ୍ଦ୍ର ନିୟମ କୋହଳ କଲା ପରେ କିଛି ରାଜ୍ୟ ଟେଣ୍ଡର ଡାକିଛନ୍ତି। କିନ୍ତୁ ଟିକା କମ୍ପାନୀମାନେ କେନ୍ଦ୍ର ସରକାରଙ୍କଠାରୁ କ୍ଲିୟରାନ୍ସ ଚାହୁଁଛନ୍ତି। ସେମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି ଚାହୁଁ ନାହାନ୍ତି। ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ ଭାବେ କେନ୍ଦ୍ର ଟିକା ଆଣି ରାଜ୍ୟକୁ ବାଣ୍ଟୁ। ସମସ୍ତଙ୍କୁ ଟିକାକରଣ ପାଇଁ ନିୟମରେ କୋହଳ ପାଇଁ ରାଜ୍ୟକୁ ଅନୁମତି ମିଳୁ।
ଏହିଭଳି ଘଡ଼ିସନ୍ଧି ବିଶ୍ୱ ମହାମାରୀ ସମୟରେ ଟିକା ସଙ୍କଟ ଦୂର କରିବା ପାଇଁ, ତଥା ତୃତୀୟ ଲହର ଆସିବା ପୂର୍ବରୁ, ଆମେ ସମସ୍ତେ ତତ୍ପର ହେବା ସହିତ, ଏସମ୍ପର୍କରେ ଏକ ସହମତି ସୃଷ୍ଟି ହେଉ, ଲୋକଙ୍କୁ ଟିକା ମିଳୁ, ଏନେଇ ମୁଁ କେନ୍ଦ୍ରକୁ ଲେଖିଛି, ସ୍ୱାଧୀନତା ସଂଗ୍ରାମ ପରେ ବୋଧହୁଏ ଏହା ସବୁଠୁ ବଡ଼ ଚ୍ୟାଲେଞ୍ଜ। ସବୁ ବିବାଦ ଛାଡ଼ି ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଏକାଠି ହେବାକୁ ନବୀନ ଆହ୍ୱାନ ଦେଇଛନ୍ତି।