ଭୁବନେଶ୍ୱର: ମାଇନିଂ ୱେଷ୍ଟ୍ (ବର୍ଜ୍ୟ) ବା ଖଣି ଖୋଳା ପରେ ଯେଉଁ ଅନାବଶ୍ୟକ ବସ୍ତୁ ରହିଯାଏ, ତାହା ପରିବେଶ ଉପରେ ଗଭୀର ପ୍ରଭାବ ପକାଇଥାଏ। ଖଣିଜ ପଦାର୍ଥ ଉତୋଳନ ହେବା ପରେ ବାକି ରହିଥିବା ବାଲି ବା ଚୂର୍ଣ୍ଣ ପରି ପାଉଡର୍ ବାୟୁ ପ୍ରଦୂଷଣ ସୃଷ୍ଟି କରିବା ସହିତ ପାଣିକୁ ମଧ୍ୟ ଦୂଷିତ କରିଥାଏ। ବିଶ୍ୱରେ ପ୍ରତିବର୍ଷ ଶତାଧିକ ବିଲିୟନ୍ ଟନ୍ ଏହି ୱେଷ୍ଟ୍ ଉତ୍ପନ୍ନ ହୁଏ, ଯାହା ପୃଥିବୀର ସବୁଠାରୁ ବଡ଼ ୱେଷ୍ଟ୍ ଷ୍ଟ୍ରିମ୍ମାନଙ୍କ ମଧ୍ୟରୁ ଅନ୍ୟତମ। ଭାରତରେ ବିଶେଷ କରି ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ଼ ଓ ଗୋଆ ଭଳି ଅଂଚଳରେ ଏହି ସମସ୍ୟା ଅଧିକ ଚିନ୍ତାଜନକ ହୋଇପଡ଼ିଛି।
ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ୍ ମାଟେରିଆଲ୍ସ ଟେକ୍ନୋଲୋଜି (ଆଇଏମ୍ଏମ୍ଟି) ବିଶେଷଜ୍ଞମାନେ ନୂତନ ଉପାୟ ଆବିଷ୍କାର କରିଛନ୍ତି। ଏହି ଜ୍ଞାନକୌଶଳର ବିକାଶରେ ଡ଼. ସତ୍ୟାଶିଷ ରାଉତ, ଡ଼. ସି. ଇଶ୍ୱର୍ୟାଙ୍କ ସମେତ ଅନ୍ୟ ସହଯୋଗୀମାନେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ଖଣିରୁ ବାହାରୁଥିବା ଅନାବଶ୍ୟକ ସାମଗ୍ରୀରୁ ଏକ ନୂତନ ବସ୍ତୁ ନିର୍ମାଣ କରିଛନ୍ତି। ଏହା ଦେଖିବାକୁ ଇଟା ଭଳି ହେଲେ ମଧ୍ୟ ଏହାର ଗୁଣବତା ଶିଳ୍ପ କ୍ଷେତ୍ରରେ ଏକ ବିପ୍ଲବ ଆଣିପାରିବ ବୋଲି ଆଶା କରାଯାଉଛି। ବକ୍ସାଇଟ୍ ୱେଷ୍ଟରୁ ପ୍ରସ୍ତୁତ ଏହି ବସ୍ତୁ ଉଚ୍ଚତାପ ସହନ କରିପାରେ ଏବଂ ଶିଳ୍ପକ୍ଷେତ୍ରରେ ଏକ ସହଜ ଓ ସୁଲଭ ବିକଳ୍ପ ବୋଲି ଆଇଏମ୍ଏମ୍ଟି ପକ୍ଷରୁ କୁହାଯାଇଛି।
ଶିଳ୍ପ ସଂସ୍ଥାମାନେ ଏହାକୁ ବ୍ୟବହାର କରି ଉତ୍ପାଦନ କ୍ଷମତା ବୃଦ୍ଧି କରିପାରିବେ। ଆଇଏମ୍ଏମ୍ଟି ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରିବା ପାଇଁ ଆଇଏମ୍ଏମଟି ସହ ଏମ୍ଏସ୍ ଉତ୍କଳ ଭ୍ୟାନ୍ଗାର୍ଡ ଇଞ୍ଜିନିୟରିଂ ଆଣ୍ଡ୍ କନଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ଚୁକ୍ତି କରିଛି। ୧୭ ତାରିଖରେ ଭୁବନେଶ୍ୱରସ୍ଥିତ ସିଏସଆଇଆର୍–ଆଇଏମ୍ଏମ୍ଟି ପରିସରରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗଦେଇ ଆଇଏମ୍ଏମ୍ଟି ବିଶେଷଜ୍ଞଙ୍କୁ ଅଭିନନ୍ଦନ ଜଣାଇଥିଲେ।