ଭୁବନେଶ୍ୱର(ଏସ୍ ନ୍ୟୁଜ):ବୀରମିତ୍ରପୁର ଓ ପୂରୀରେ ପୋଲିସ ହେପାଜତରେ ଅଭୁଯୁକ୍ତଙ୍କ ମୃତ୍ୟୁ ଘଟଣାରେ NHRC ଗାଇଡଲାଇନ ଅନୁସାରେ ହେବ ତଦନ୍ତ। ତଦନ୍ତ ନିର୍ଦେଶ ଦେଇଛନ୍ତି ପୋଲିସ ଡିଜି ଅଭୟ କୁମାର। ଏଭଳି ମୃତ୍ୟୁ ହେଲେ NHRC ଗାଇଡଲାଇନ ଅନୁସାରେ ତଦନ୍ତ କରାଯାଇଥାଏ । ମୃତ୍ୟୁ ଘଟଣାର ଏକ ଡାକ୍ତରୀ ଦଳ ଦ୍ୱାରା ଶବ ବ୍ୟବଚ୍ଛେଦ ,ଫଟୋଗ୍ରାଫି ଓ ଭିଡିଓଗ୍ରାଫି କରାଯାଉଛି ।

ଅନ୍ୟପଟେ ଗତକାଲି ପୁରୀ ଜିଲ୍ଲା ବାସେଳି ସାହି ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ବିବାଦ ତେଜିଆବରେ ଲାଗିଛି ।ଏହା ହାଜତ ମୃତ୍ୟୁ ବୋଲି ଆଜି ଖୋଦ ପୁରୀ ଏସ୍ପି ସ୍ୱୀକାର କରିଥିବା ବେଳେ ପୁଲିସ୍ ମାଡ଼ରେ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। କିନ୍ତୁ ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।ଘଟଣାରେ ପୋଲିସ ଏବଂ ଜନତା ମୁହାଁମୁହିଁ ହୋଇଛନ୍ତି । ସ୍ଥାନୀୟ ଲୋକେ ଥାନା ସମ୍ମୁଖରେ ହୋହାଲ୍ଲା କରିବା ସହ ଘଟଣାର ସଠିକ ତଦନ୍ତ ଦାବି କରୁଛନ୍ତି ।
ଏସପିଙ୍କ ସୂଚନା ଅନୁଯାୟୀ, କେ. ରମେଶ ନାମକ ବ୍ୟକ୍ତି ମାରଣାସ୍ତ୍ର ଧରି ବୁଲୁଥିବା ଖବର ପାଇଥିଲା ପୁଲିସ୍ । ତାଙ୍କୁ କାବୁ କରିବାକୁ ଯିବା ବେଳେ ପୁଲିସ୍ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା । ଫଳରେ ସମ୍ପୃକ୍ତ ଅଭିଯୁକ୍ତ ଆହତ ହୋଇଥିଲେ । ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ପୁଲିସ୍ ମାଡ଼ରେ କେ. ରମେଶଙ୍କ ମୃତ୍ୟୁ ଘଟିଛି ବୋଲି ଯାହା କୁହାଯାଉଛି, ତାହା ସତ ନୁହେଁ ବୋଲି ଏସ୍ପି କହିଛନ୍ତି।

ସେପଟେ ଯୁବକଙ୍କ ମୃତଦେହ ବର୍ତ୍ତମାନ ପୁରୀ ମେଡିକାଲର ପୋଷ୍ଟମର୍ଟମ ସେଣ୍ଟରରେ ରହିଛି । ସେଣ୍ଟର ସମ୍ମୁଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମୃତ ଅଭିଯୁକ୍ତଙ୍କ ଶରୀରର ଡାହାଣ ହାତରେ ଅନେକ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି ।