ସମ୍ଭାଳି ହେଉନି ନିମାପଡ଼ା ବାବୁଙ୍କ ଗାଲୁଆମି

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମାଟି କରୁଛନ୍ତି ନବୀନବାବୁ….

ଭୁବନେଶ୍ୱର: ପିଲାଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାବତୀୟ ଅଳିଆ କାମରେ ଲିପ୍ତ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପ୍ରତି ମନ୍ତ୍ରୀ ସମୀର ଦାଶଙ୍କର ଉଚ୍ଚାକୋଟୀର ଦୃଷ୍ଟିକୋଣକୁ ତାରିଫ କରିବାକୁ ବାଧ୍ୟ ହେଉଛୁ । ଖାସ୍‌ ସେଇଥିପାଇଁ ପରୀକ୍ଷା ପରିଚାଳନାରେ ବ୍ୟାପକ ତ୍ରୁଟିକୁ କେନ୍ଦ୍ର କରି ଛାତ୍ରଛାତ୍ରୀ ବିଭିନ୍ନ ସମୟରେ ଆନ୍ଦୋଳନ କରୁଛନ୍ତି ।

ସବୁ ଅବ୍ୟବସ୍ଥା ପ୍ରତି ଆଖି ବୁଜି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁହାଯାଉଛି, ସଭାପତି ରମାଶିଷ ହାଜରା ଓ ଉପସଭାପତି ଡକ୍ଟର ନିହାର ରଂଜନ ମହାନ୍ତି ମାଧ୍ୟମିକ ଶିକ୍ଷା ପରିଷଦଟିକୁ ଆପଣା ଜାଗିର କରିଦେଲେଣି । ଅନ୍ୟ ପଦସ୍ଥ ଅଧିକାରୀମାନେ ଦୁଇବର୍ଷରୁ ଅଧିକ ଦିନ ରହି ପାରୁନାହାନ୍ତି । ମାତ୍ର ହାଜରାବାବୁ ୬ ବର୍ଷ ଓ ନିହାର ବାବୁ ଦୀର୍ଘ ୧୮ ବର୍ଷ ଧରି ତିଷ୍ଠି ରହିଛନ୍ତି । ବିଶେଷ କରି ନିହାରବାବୁଙ୍କ ବିନା ବୋର୍ଡଟି ଅଚଳ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ହୃଦବୋଧ ହୋଇଛି ।

ବିନା ଟେଣ୍ଡରରେ ଅନ୍ୟ ରାଜ୍ୟରେ ପ୍ରତିଷ୍ଠିତ ସଂସ୍ଥା ହାତକୁ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ଛପାଇବା କାମ ଦିଆଯାଇଛି । ବୋର୍ଡ ହାତରେ ବିଜ୍ଞାପନ ପ୍ରଦାନ ଦାୟିତ୍ୱ ନରହିବା ଫଳରେ ଘରୋଇ ସଂସ୍ଥା କମିଶନ ବାବଦକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛି; ସେଥିରୁ କିଛିକିଛି ସଭାପତି ଓ ଉପସଭାପତିଙ୍କ ପୈତୃକ ଆକାଉଂଟକୁ ଯାଉଛି ।

ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ପୂର୍ବରୁ ଶିକ୍ଷାମନ୍ତ୍ରୀ ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱାରୋପ କରନ୍ତି । ମାତ୍ର ପରୀକ୍ଷା ପରିଚାଳନା ଓ ପରୀକ୍ଷାଫଳ ପ୍ରକାଶନ ଭିତରେ ବହୁତ ଗୋପନୀୟ କାରବାର ଚାଲେ । ନିକଟରେ ଓଟିଇଟି ପରୀକ୍ଷା ବିଭ୍ରାଟକୁ କେନ୍ଦ୍ର କରି ଛାତ୍ରଛାତ୍ରୀ ଧାରଣାରେ ବସିଗଲେ । ମାତ୍ର ତା’ର ପରିଣାମ ସ୍ୱରୂପ ସବୁକିଛି ଥଣ୍ଡା । ଆଗକୁ ମାଟ୍ରିକ ପରୀକ୍ଷା ହେବାକୁ ଯାଉଛି । ସେଥିରେ ମଧ୍ୟ ବ୍ୟାପକ ଅନିୟମିତତା ରହିବ । ସତେଯେପରି ପିଲାମାନଙ୍କ ଆନ୍ଦୋଳନ ଓ ଅଭିଭାବକଙ୍କ ଅସନ୍ତୋଷ ହିଁ ଶିକ୍ଷା ପରିଷଦର ଅସ୍ତିତ୍ୱ ।