ମୃତକଙ୍କ ହେବନି କରୋନା ପରୀକ୍ଷା

ଭୁବନେଶ୍ୱର(ଏସ୍ ନ୍ୟୁଜ): ମୃତ ବ୍ୟକ୍ତିଙ୍କ ହେବ ନାହିଁ କରୋନା ପରୀକ୍ଷା। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ମୃତ ବ୍ୟକ୍ତିଙ୍କ ଶବ ହସ୍ତାନ୍ତର ବେଳେ ବିଳମ୍ବ ହେଉଥିବାରୁ ପରିବାର ଲୋକେ ହନ୍ତସନ୍ତ ହେଉଥିବା ବାରମ୍ବାର ଅଭିଯୋଗ ଆସୁଛି । ଏପରିକି ଶବ ହସ୍ତାନ୍ତର ପାଇଁ ପରିବାର ଲୋକଙ୍କୁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ତେଣୁ ପରିବାର ଲୋକଙ୍କୁ ଏହିସବୁ ଶୋଷଣରୁ ମୁକ୍ତି କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କୋଭିଡ ଡାକ୍ତରଖାନାମାନଙ୍କ ପାଇଁ ଏହି ନିର୍ଦେଶନାମା ଜାରି ହୋଇଛି। ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ,ମୃତ୍ୟୁବରଣ କରିଥିବା କୋଭିଡ-୧୯ ପଜିଟିଭ ରୋଗୀଙ୍କ ମୃତ୍ୟୁ ରିପୋର୍ଟ, ବେଡ ଟିକେଟ, ଡାକ୍ତରୀ ତଦନ୍ତ ରିପୋର୍ଟ, କୋଭିଡ ପରୀକ୍ଷା ସ୍ଥିତି ମୃତ୍ୟୁର ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ନିକଟରେ ଦାଖଲ କରିବେ । ଏହା ସହିତ ରୋଗୀଙ୍କ ଆଡମିଶନ ବେଳେ ତାଙ୍କର ପୂର୍ବ ରୋଗ, ରୋଗୀଙ୍କ ଶରୀରରେ ଥିବା ଲକ୍ଷଣ ସମ୍ପର୍କରେ ସୂଚନା ସଂଗ୍ରହ କରି ରାଜ୍ୟସ୍ତରୀୟ କମିଟି ନିକଟରେ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏଥିରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ନାଁ ଓ ତାଙ୍କ ଫୋନ ନମ୍ବର ବି ରହିବ।