ନୂଆପଡ଼ା ଆସନକୁ ଦଖଲ କରିବା ପାଇଁ ଔପଚାରିକ ଭାବେ ୧୧୦୦ କୋଟି ଟଙ୍କାର ସପନ ବୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।
ଖାଲି ସେତିକି ନୁହେଁ, ନୂଆପଡ଼ା ଭୋଟରଙ୍କ ପାଇଁ ଦୁଆରକୁ ଖୋଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆପଡ଼ା ଭୋଟର ଯେତେବେଳେ ଚାହିଁବେ ମୁଖ୍ୟମନ୍ତ୍ରୀଙ୍କ ଏରୁଣ୍ଡି ବନ୍ଧ ଡେଇଁ ମୋହନ ବାବୁଙ୍କ ଶୟନ କକ୍ଷରେ ପହଂଚି ଯାଇପାରିବେ ।
ତାଙ୍କୁ ଯୋଉ ଅବସ୍ଥାରେ ପାଇବେ, ସେହି ଅବସ୍ଥାରେ ଦୁଃଖ ଜଣାଇ ପାରିବେ ।
ଯୋଉ ଅଧିକାର ଏ ପର୍ଯ୍ୟନ୍ତ କେନ୍ଦୁଝର ଜନତା ପାଇ ପାରିଲେନି । ସେହି ଅଧିକାର ନୂଆପଡ଼ା ଜନତାଙ୍କୁ ଦେଇଛନ୍ତି ମୋହନ ବାବୁ ।
ମୋଦୀଙ୍କ ନେତୃତ୍ୱରେ ଡବଲ ଇଂଜିନ ସରକାରଙ୍କ ଗୁଣାବଳୀ ବଖାଣିବା ପରେ ୧୧୦୦ କୋଟି ଟଙ୍କାର ସପନ ଭେଟି ଦେଇଛନ୍ତି ।
୧୦୯ଟି ପ୍ରକଳ୍ପର ଲୋକାର୍ପଣ କରାଯାଇଛି ଯାହାର ରକ୍ଷଣାବେକ୍ଷଣ ଓ ପରିଚାଳନା ପ୍ରତି ସେତେଟା ଦୃଷ୍ଟି ଦିଆଯାଇନି । ୩୮ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଯାହା ଅଧାପନ୍ତରିଆ ରହିବାର ଆଶଙ୍କା କରାଯାଉଛି ।
ନୂଆପଡ଼ାର ଜଳସେଚନ ସମେତ ଅନ୍ୟାନ୍ୟ ବିକାଶ ପାଇଁ ବହୁ ପ୍ରକଳ୍ପ ଘୋଷଣା କରିଥିଲେ । କେନ୍ଦୁପତ୍ର ତୋଳାଳିଙ୍କ ହାତରେ ଟଙ୍କା ଅଜାଡ଼ି ଦେବାର ସପନ ଦେଖାଇଛନ୍ତି ।
ନୂଆପଡ଼ାର ସିନାପାଲି, କୋମନା ଓ ବୋଡେନ ଓ ମାଲକାନଗିରି ଜିଲ୍ଲାର ମାଥିଲି, କାଲିମେଳା, ଖଇରପୁଟ ଓ କୁଡୁମୁଲୁଗୁମା ତହସିଲରେ ସବ୍ ରେଜିଷ୍ଟ୍ରାର ଅଫିସ ଖୋଲାଯିବା ଘୋଷଣା କଲେ ।
ନୂଆପଡ଼ାରେ ଭାରି ଶିଳ୍ପ ବସାଇବା ପାଇଁ ସଂକଳ୍ପ କଲେ । ନୂଆପଡ଼ା ପାଇଁ କେନ୍ଦ୍ର ସରକାରଙ୍କ ରେଳ ପ୍ରକଳ୍ପ ଭେଟି କଥା କହିଲେ ।
ଏମିତି କେତେ କଥା କହି ଭୋଟ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନାନା ଥୋପ ପକାଇଛନ୍ତି ।
ତେବେ କଥା ହେଉଛି, ନୂଆପଡ଼ା ଭୋଟର ଘରଭଙ୍ଗା ସରକାରଙ୍କ ଅସଲ ମୁଖାକୁ ଚିହ୍ନି ପାରିଛନ୍ତି । ସେମାନେ ବୁଝି ବିଚାରି ଠିକ ଲୋକକୁ ଜିତାଇବେ ।