ରାଉରକେଲା(ଏସ ନ୍ୟୁଜ ): ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ବା WFPକୁ ନୋବେଲ ଶାନ୍ତି ପୁରସ୍କାର ୨୦୨୦ ପ୍ରଦାନ କରାଯାଇଛି। ଏହାର ପରାମର୍ଶଦାତା ପରିଷଦ ସଦସ୍ୟ ତଥା କୃତ୍ରିମ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ନେତା ଭାବରେ ଓଡ଼ିଆ ପୁଅ ପ୍ରଣବ ଖଇତାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଉଲ୍ଲେଖନୀୟ କାର୍ଯ୍ୟକୁ ନେଇ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପ୍ରଣବଙ୍କୁ ଧନ୍ୟବାଦ ଜଣାଇବ ସହ ମାନବିକ କାର୍ଯ୍ୟରେ ପରିବର୍ତ୍ତନ ଆଣିବା ପାଇଁ କୃତ୍ରିମ ବୁଦ୍ଧିମତାର ବିକାଶରେ ତାଙ୍କର ନେତୃତ୍ୱକୁ ସ୍ୱୀକୃତି ଦେଇଥିଲେ।

WFP ଦଶନ୍ଧି ଧରି ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଛନ୍ତି ଏବଂ ଶହ ଶହ କୋଟି ଲୋକଙ୍କୁ ଭୋକରୁ ମୁକ୍ତ କରିବାରେ ସାହାଯ୍ୟ କରିଛି। ପ୍ରାକୃତିକ ବିପର୍ଯୟ ସମୟରେ WFP ପ୍ରାୟତଃ ପ୍ରଥମ ମାନବିକ ସଂଗଠନ ହୋଇ ପୀଡିତଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ସହାୟତା ଯୋଗାଇଥାଏ। ବିଶ୍ୱରୁ କ୍ଷୁଧା ଦୂର କରିବାକୁ ଗୁଗଲ୍ ଏବଂ WFP ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏଥିଲାଗି ଗୁଗଲର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କାର୍ଯ୍ୟକ୍ରମର ସହାୟତା ନିଆଯାଉଛି। ଆଉ ଏହି କାର୍ଯ୍ୟକ୍ରମ ସହ ସିଧାସଳଖ ସାମିଲ ଅଛନ୍ତି ପ୍ରଣବ ଖୈତାନ। ବିଶ୍ୱରୁ କ୍ଷୁଧା ଦୂର କରିବାକୁ ଗୁଗଲ ଏବଂ WFPର ଏହି କାର୍ଯ୍ୟକ୍ରମ ଅନେକ ମାତ୍ରାରେ ସଫଳ ହୋଇଛି।
ଇଣ୍ଡୋନେସିଆ ଓ ମେକ୍ସିକୋ ସହ ବିଶ୍ୱର ୫ଟି ଦେଶରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସହାୟତା ନେଇ ୨୪ରୁ ୭୨ ଘଣ୍ଟା ମଧ୍ୟରେ ଭୋକିଲାଙ୍କ ନିକଟରେ ଖାଦ୍ୟ ପହଞ୍ଚି ପାରୁଛି। ଏହି ବୈଷୟିକ ଜ୍ଞାନକୌଶଳକୁ ଭାରତରେ ବାତ୍ୟା ଓ ଭୂକମ୍ପ ସମୟରେ ମଧ୍ୟ ଉପଯୋଗ କରାଯାଇଛି। ଏହି ସହଭାଗୀତାକୁ ନେଇ ପ୍ରଣବ କହିଛନ୍ତି, ମାନବଜାତିର ସେବା ପାଇଁ WFP ମୋତେ ସୁଯୋଗ ଦେଇଥିବାର ମୁଁ ବହୁତ ଖୁସି ଅନୁଭୂତ କରୁଛି। ଏଥିପାଇଁ ମୁଁ ମୋ ମାତାପିତା, ସମ୍ପର୍କୀୟ ଓ ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି।
ତେବେ ପ୍ରଣବ ଖୈତାନ ୨୦୦୯ ମସିହାରେ ରାଉରକେଲା ଏନଆଇଟିରୁ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ସେ ଆମେରିକାର କାଲିଫର୍ଣ୍ଣିଆରେ ଥିବା ଗୁଗୁଲ କାର୍ଯ୍ୟାଳୟରେ ନିୟୋଜିତ ଅଛନ୍ତି। ରାଉରକେଲାରେ ଜନ୍ମ ହୋଇଛନ୍ତି ପ୍ରଣବ। ତାଙ୍କ ମାଆ ଉଷାଙ୍କ ମଧ୍ୟ ରାଉରକେଲା ସହ ସମ୍ପର୍କ ରହିଛି।