ଓଡିଶା ଆଦର୍ଶ ସ୍କୁଲର ଉପଦେଷ୍ଟା ଡ଼ଃ ବିଜୟ ସାହୁଙ୍କ ପରଲୋକ: ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,(ଏସ୍ ନ୍ୟୁଜ)ତା ୩/୬/୨୧: ରାଜ୍ୟ ସରକାରଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍ ବିଜୟ ସାହୁଙ୍କର ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ହାଇଦ୍ରାବାଦ ଏକ ଘରୋଇ ହସ୍ପିଟାଲରେ ବିଜୟ ସାହୁଙ୍କର ଚିକିତ୍ସା ଚାଲିଥଲା । ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ ବିଜୟ । ତେବେ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଜଟିଳତା ନେଇ ଗୁରୁତର ଥିଲେ ବିଜୟ । ପରେ ତାଙ୍କୁ ଉନ୍ନତମାନର ଚିକିତ୍ସା ପାଇଁ ହାଇଦ୍ରାବାଦକୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କର ଦେହାନ୍ତ ହୋଇଛି।

ବିଜୟ ସାହୁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବିଜୟଙ୍କର ଯଥେଷ୍ଟ ଅବଦାନ ରହିଥିଲା । ସେ ଏକାଧାରରେ ଜଣେ ଅମାୟିକ, ସମାଜସେବୀ ଏବଂ ଉତ୍ତମ ସଂଗଠକ ଥିଲେ । ତାଙ୍କର ବିୟୋଗ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଠିକ୍ ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ବି ବିଜୟ ସାହୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାଛଡ଼ା ତାଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇବାସହ ସ୍ୱର୍ଗତ ସାହୁଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।