ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀଙ୍କୁ କରୋନା

ଭୁବନେଶ୍ୱେର (ଏସ ନ୍ୟୁଜ): ଓଡିଶା କଂଗ୍ରେସର ନୂଆ ପ୍ରଭାରୀ ଡ. ଏ. ଚେଲ୍ଲା କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଗତକାଲି ତାଙ୍କୁ ଓଡିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା।

‘ମୁଁ କରୋନା ଆକ୍ରାନ୍ତ ହୋଇଛି। ମୋର ସ୍ବାବ ନମୁନା ରିପୋର୍ଟ ପଜିଟିଭ୍ ଆସିଛି। ମୁଁ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହେଁ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗରେ ଥିଲେ ସେମାନେ ନିଜର ପରୀକ୍ଷା କରାଇ ନିଅନ୍ତୁ ଓ ନିରାପଦରେ ରୁହନ୍ତୁ’ ବୋଲି ଟ୍ୱିଟରେ ଦର୍ଶାଇଛନ୍ତି ଚେଲ୍ଲା କୁମାର ।

ଗତକାଲି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଦଳୀୟ ସଂଗଠନରେ ବଡ଼ ଧରଣର ଅଦଳ ବଦଳ କରିଥିଲେ । ଓଡ଼ିଶା ପ୍ରଭାରୀ ଥିବା ଦଳର ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହଙ୍କୁ ବଦଳାଇ ସାଂସଦ ଡ. ଚେଲ୍ଲା କୁମାରଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯାଇଥିଲା। ତେବେ ଦାୟିତ୍ବ ମିଳିବାର ଗୋଟେ ଦିନ ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି।