ରାଜ୍ୟରେ ପ୍ରତିଦିନ କରୋନା ମୃତ୍ୟୁ ସଂଖ୍ୟା ୬୦ ଉପରେ, ପୁଣି ନେଲା ୬୯ ଜୀବନ, ଆଉ ୧୨୪୩ ଜଣ ସଂକ୍ରମିତ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ରାଜ୍ୟରେ ତଳମୁହାଁ ହେଉଛି କରୋନା ଗ୍ରାଫ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୨୪୩ ଜଣ କରୋନା ସଂକ୍ରମିତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୧୮ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୨୫ ଜଣ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୦୭୦ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ହେଲେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ପ୍ରତିଦିନ ମୃତ୍ୟୁ ସଂଖ୍ୟା ୬୦ ଉପରେ ରହୁଛି । ଯାହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ରାଜ୍ୟରେ ୬୯ ଜଣଙ୍କ ଜୀବନ ନେଇଛି ।  ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪୩୫ କୁ ବୃଦ୍ଧି ପାଇଛି ।

ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ଜଣ, କଟକ ଜିଲ୍ଲାରୁ ୧୩ଜଣ, ସମ୍ବଲପୁର ଜିଲ୍ଲାରୁ ୮ ଜଣ, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାରୁ ୬ଜଣ ଲେଖାଏଁ ରହିଛନ୍ତି। ବରଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ୫ଜଣ ଲେଖାଏଁ, ଝାରସୁଗୁଡ଼ା ଜିଲ୍ଲାରୁ ୪ ଜଣ, ଦେବଗଡ଼ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୮୭ ହଜାର ୦୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୨ ହଜାର ୧୨୯ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୬୮ ହଜାର ୪୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କରୋନା ଯୋଗୁଁ ୬୪୩୫ ଜଣଙ୍କର ମୃତ୍ୟୁ ହୋଇଛି ।