ଓଡ଼ିଶାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ

ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ବାଜିଛି। କେନ୍ଦୁଝର ମାଟିର‍ ଆଦିବାସୀ ପୁଅ ଓଡ଼ିଶାର ମଙ୍ଗ ଧରିଛନ୍ତି। ସେ ହେଲେ ବିଜେପି ଦଳର ଟାଣୁଆ ନେତା ମୋହନ ଚରଣ ମାଝୀ। ୧୯୭୨ ମସିହା ଜାନୁଆରୀ ମାସ ୬ ତାରିଖରେ କେନ୍ଦୁଝର ଜିଲ୍ଲାରେ ତାଙ୍କର ଜନ୍ମ। ମୋହନଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି କଳାରେ ସ୍ନାତକ।

ସେ ପ୍ରଥମେ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କାମ କରିଥିଲେ। ଶିଶୁ ମନ୍ଦିର ଗୁରୁଜୀରୁ ତାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା। ପରେ ସରପଞ୍ଚ ପାଇଁ ଲଢିଥିଲେ ଆଉ ବିଜୟୀ ମଧ୍ୟ ହୋଇଥିଲେ। ଏଇଠି ପଡିଥିଲା ତାଙ୍କ ରାଜନୀତିର ମୂଳଦୁଆ।

୨୦୦୦ ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ସମୁଦାୟ ୫୧,୪୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଜଗଦିଶ ନାଏକଙ୍କୁ ୨୨,୧୬୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳ ଭାଙ୍ଗିବାଯାଏଁ କାର୍ଯ୍ୟ କରିଥିଲେ।

୨୦୦୪ ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ସମୁଦାୟ ୪୬,୧୪୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ମାଧବ ସରଦାରଙ୍କୁ ୧୧,୦୦୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୫ ମସିହା ଯାଏଁ କାର୍ଯ୍ୟ କରିଥିଲେ।

୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ସମୁଦାୟ ୨୯,୨୦୨ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ। ବିଜୁ ଜନତା ଦଳର ପ୍ରାର୍ଥୀ ଶୁଭମ ନାଏକ ତାଙ୍କୁ ୭,୨୬୯ ଖଣ୍ଡ ଭୋଟରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।

୨୦୧୪ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ସମୁଦାୟ ୪୭,୨୮୩ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ। ବିଜୁ ଜନତା ଦଳର ପ୍ରାର୍ଥୀ ଅଭିରାମ ନାଏକ ତାଙ୍କୁ ୮,୬୭୬ ଖଣ୍ଡ ଭୋଟରେ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।

୨୦୧୯ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।

ସେହିପରି ୨୦୨୪ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ବିଜେପି ପ୍ରାର୍ଥୀ ଭାବରେ ପୁନର୍ବାର କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ଦମଦାର ବିଜୟ ଲାଭ କରିଥିଲେ। ଏହି ନିର୍ବାଚନରେ ମୋହନ ୮୭୮୧୫ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ମୀନା ମାଝୀଙ୍କୁ ୧୧,୫୭୭ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।