ଭୁବନେଶ୍ୱର(ଏସ୍ ନ୍ଯୁଜ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନା ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ୍ ଓ ତାଙ୍କ ପତ୍ନୀ ତଥା ରାଜ୍ୟର ପ୍ରଥମ ମହିଳା କରୋନା ଆକ୍ରାନ୍ତ ହୋଇଥିବା ନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏଥିସହ ତାଙ୍କ ପରିବାରର ୪ ସଦସ୍ୟ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
କରୋନା ଆକ୍ରାନ୍ତ ହେବା ପରେ ରାଜ୍ୟପାଳଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜ୍ୟପାଳଙ୍କ ସମେତ ପରିବାରର ସମସ୍ତ ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ରାଜଭବନ ସୂତ୍ରରୁ ଜଣାପଡ଼ିଛି।
ଏ ସମ୍ପର୍କରେ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ କହିଛନ୍ତି, ‘ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ବିଷୟରେ ଜାଣି ମୁଁ ଚିନ୍ତିତ। ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ତାଙ୍କ ସୁସ୍ବାସ୍ଥ୍ୟ ଲାଗି ପ୍ରାର୍ଥନା କରୁଛି।’