ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଗକୁ ଆସୁଥିବା ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଇତ୍ୟାଦି ପାଇଁ ଗାଇଡ଼ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। କରୋନା ବିପଦଜ୍ଜନକ ସ୍ଥିତି ବଜାୟ ରଖିଥିବାରୁ କଟକଣା ଭିତରେ କେବଳ ପରମ୍ପରା ରକ୍ଷା ନିମନ୍ତେ ମଣ୍ଡପରେ ପୂଜା ଅନୁଷ୍ଠିତ ହେବ। ନିୟମ ଭଙ୍ଗ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାଲାଗି ରୋକଠୋକ କୁହାଯାଇଛି।
ପୂର୍ବରୁ କେବଳ ରାଜଧାନୀରେ ପୂଜା କିଭଳି ସମାପନ ହେବ ସେନେଇ ନିୟମାବଳୀ ଜାରି କରିଥିଲା କମିଶନରେଟ୍ ପୋଲିସ। ଯେଉଁଥିରେ ଦର୍ଶାଯାଇଥିଲା ୧୦ ଜଣଙ୍କୁ ନେଇ ମଣ୍ଡପରେ ପୂଜା ଅନୁଷ୍ଠିତ ହେବ। ହେଲେ ରାଜ୍ୟ ସରକାରଙ୍କ ନିୟମାବଳୀରେ ତାକୁ କମାଯାଇ ୭ କରିଦିଆଯାଇଛି। ସେହିଭଳି ବିନା ତୋରଣ, ଆଲୋକମାଳାରେ କେବଳ ମଣ୍ଡପରେ ପ୍ରତିମା ପୂଜା ପାଇବା ନେଇ ନିଷ୍ପତ୍ତି ହୋଇଥିଲା। ମୂର୍ତ୍ତିର ଉଚ୍ଚତା ୪ ରୁ ୫ ଫୁଟ ଭିତରେ ରହିବା ନେଇ ପୂର୍ବରୁ ସ୍ଥିର ହୋଇଥିଲେହେଁ ଏବେ ସରକାର ୪ ଫୁଟରୁ ଅଧିକ ଉଚ୍ଚତାର ମୂର୍ତ୍ତି ପୂଜା ପାଇପାରିବ ନାହିଁ ବୋଲି ଗାଇଡ଼ଲାଇନରେ ଉଲ୍ଲେଖ କରିଛନ୍ତି।
ପଢ଼ନ୍ତୁ ସମ୍ପୂର୍ଣ୍ଣ ଗାଇଡଲାଇନ:
- ବିଭିନ୍ନ ଜିଲ୍ଲାରେ ପୂଜା ଲାଗି ଜିଲ୍ଲାପାଳ, ଟ୍ୱିନସିଟିରେ କମିଶନରଙ୍କ ଅନୁମତି ଜରୁରୀ
- କେବଳ ପରମ୍ପରା ରକ୍ଷା ଲାଗି ମଣ୍ଡପରେ ହେବ ପୂଜା
- ମୂର୍ତ୍ତି ଉଚ୍ଚତା ୪ ଫୁଟ ଭିତରେ ରହିବ
- ପୂଜା ମଣ୍ଡପ ୩ ପାର୍ଶ୍ୱରୁ ଆବଦ୍ଧ ରହିବ, ଚତୁର୍ଥ ପାର୍ଶ୍ୱ ଆଶିଂକ ଖୋଲିବ
- ଲୋକ ଗହଳି ମନା, ଭକ୍ତ କରିପାରିବେନି ଦର୍ଶନ
- କର୍ତ୍ତା ଓ ପୁରୋହିତଙ୍କୁ ମିଶାଇ ମଣ୍ଡପରେ ୭ ଜଣରୁ ଅଧିକ ରହିପାରିବେନି
- ସାମାଜିକ ଦୂରତା ରକ୍ଷା ହେବ ଓ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ
- ମଣ୍ଡପରେ ସଂଗୀତ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇପାରିବନି
- ଭସାଣୀ ଶୋଭାଯାତ୍ରା ହେବନି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ
- ନିୟମ ଉଲ୍ଲଙ୍ଘନ ହେଲେ ପର୍ଯ୍ୟୟ ପରିଚାଳନା ଆଇନ ଓ ଏପିଡେମିକ ଆକ୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ