ଭୁବନେଶ୍ୱର: ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ସୋମବାର ସିମଲା ଲୋକଭବନଠାରେ ହିମାଚଳ ପ୍ରଦେଶର ରାଜ୍ୟପାଳ କବିନ୍ଦର ଗୁପ୍ତାଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧି ଦଳ ସେମାନଙ୍କର ରାଜ୍ୟ ଗସ୍ତ ଅନୁଭୂତି ପ୍ରକାଶ କରିବା ସହିତ ସାଂସ୍କୃତିକ ବିନିମୟ, ବିକାଶମୂଳକ ପଦକ୍ଷେପ ଏବଂ ଜାତୀୟ ସଂହତିକୁ ପ୍ରୋତ୍ସାହିତ କରିବାରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା କରିଥିଲେ।
ପ୍ରତିନିଧି ଦଳଙ୍କ ସହ ଆଲୋଚନା ଅବସରରେ ରାଜ୍ୟପାଳ କହିଥିଲେ, ଅଭିଜ୍ଞତା ଆହରଣ ଲାଗି ଏପରି ଗସ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ପାରସ୍ପରିକ ବୁଝାମଣାକୁ ସୁଦୃଢ଼ କରିବ। ଭାରତର ସମୃଦ୍ଧ ଭାଷାଗତ ଏବଂ ସାଂସ୍କୃତିକ ବିବିଧତା ଉପରେ ଆଲୋକପାତ କରି ସେ କହିଥିଲେ, ଏକତା ଦେଶର ସର୍ବବୃହତ ଶକ୍ତି।
ଉପାନ୍ତ ଏବଂ ସୀମାବର୍ତୀ ଅଂଚଳରେ ସଂଯୋଗୀକରଣ ଉନ୍ନତ କରିବାରେ ରାଜ୍ୟର ପ୍ରୟାସ ବିଷୟରେ ସେ ସୂଚନା ଦେଇଥିଲେ। ଦୀର୍ଘସ୍ଥାୟୀ ବିକାଶ ଉପରେ ଗୁରୁତ୍ୱାରୋପ କରି ସେ ସ୍ଥାନୀୟ ଉତ୍ପାଦ, ଔଷଧୀୟ ଉଦ୍ଭିଦ ଚାଷ, ପ୍ରାକୃତିକ କୃଷି ଏବଂ ଯୁବପିଢ଼ିଙ୍କ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବାକୁ କହିଥିଲେ।