ଅପରେସନ୍‌ ସାଇବର୍‌ କବଚ୍‌’ରେ ଓଡ଼ିଶା ପୁଲିସର ସଫଳତା

୩୯,୭୧୪ ମ୍ୟୁଲ୍‌ ବ୍ୟାଙ୍କ ଆକାଉଂଟ୍‌ ଯାଂଚ୍‌, ୩୭୯ ଅଭିଯୁକ୍ତ ଗିରଫ, ୭୫୪୯ ସନ୍ଦିଗ୍ଧ ଆକାଉଂଟଧାରୀ ଓ ସହାୟକଙ୍କୁ ନୋଟିସ୍‌ ଜାରି

ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୁଦ୍ଧରେ …..

ଭୁବନେଶ୍ୱର: ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୁଦ୍ଧରେ ଓଡ଼ିଶା ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏହି କ୍ରମରେ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ‘ଅପରେସନ ସାଇବର କବଚ’ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ଗତ ୧୩ ଫେବୃଆରୀରୁ ୧୨ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ସାଇବର ଠକେଇର ମୂଳ ଆଧାର ଥିବା ମ୍ୟୁଲ୍‌ ବ୍ୟାଙ୍କ ଆକାଉଂଟ୍‌ ଓ ନକଲି ସିମ୍‌ ନେଟ୍‌ୱର୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପୁଲିସ ଭବନଠାରେ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି।

ଏହି ଅଭିଯାନ ସମୟରେ ସମଗ୍ର ରାଜ୍ୟରେ ‘ଅପରେସନ ସାଇବର କବଚ’ ଅନ୍ତର୍ଗତ ସମଗ୍ର ରାଜ୍ୟରେ ମୋଟ ୩୯,୭୧୪ ଟି ମ୍ୟୁଲ୍‌ ବ୍ୟାଙ୍କ ଆକାଉଂଟ୍‌ ଯାଂଚ କରାଯାଇଛି। ୧୩୧୫ଟି ମ୍ୟୁଲ୍‌ ବ୍ୟାଙ୍କ ଆକାଉଂଟ୍‌ ସମ୍ପର୍କିତ, ୩୬ଟି ଏଟିଏମ୍‌ ଟଙ୍କା ଉଠାଣ ସମ୍ପର୍କିତ, ୪୭ଟି ଚେକ୍‌ ଟଙ୍କା ଉଠାଣ ସମ୍ପର୍କିତ, ୨୪ ଟି ନକଲି ସିମ୍‌/ଚକ୍ଟଝ ଯାଂଚ୍‌ କରାଯାଇଛି। ଏହା ସହ ୩୭୯ ଜଣ ଅଭିଯୁକ୍ତଙ୍କୁ (୩୪୯ ଜଣ ବ୍ୟକ୍ତିଙ୍କୁ ମ୍ୟୁଲ୍‌ ବ୍ୟାଙ୍କ ଆକାଉଂଟ୍‌ ସମ୍ପର୍କିତ, ୦୯ ଜଣ ନକଲି ସିମ୍‌, ୩ ଜଣ ଏଟିଏମ୍‌ ଟଙ୍କା ଉଠାଣ ସଂକ୍ରାନ୍ତ, ୧୮ ଜଣ ଚେକ୍‌ ଟଙ୍କା ଉଠାଣ ସମ୍ପର୍କିତ)ଙ୍କୁ ଗିରଫ କରାଯାଇଛି।

୭୫୪୯ ଜଣ ସନ୍ଦିଗ୍ଧ ଆକାଉଂଟ୍‌ଧାରୀ ଓ ସହାୟକଙ୍କୁ ପୁଲିସ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ରାଉରକେଲା, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ନୁଆପଡା, ଭୁବନେଶ୍ୱର, କଟକ, ବାଲେଶ୍ୱର, ଭଦ୍ରକ, ପୁରୀ, ଯାଜପୁର ଓ ଢେଙ୍କାନାଳ ଭଳି ଜିଲ୍ଲାରେ ମ୍ୟୁଲ୍‌ ଆକାଉଂଟ୍‌ ନେଟ୍‌ୱର୍କ, ନକଲି ସିମ୍‌ ବ୍ୟବହାର, ଅନଲାଇନ ବେଟିଂ, ହାୱଲା ଟ୍ରାଞ୍ଜାକସନ ଓ କ୍ରିପ୍‌ଟୋ କରେନ୍ସି ମାଧ୍ୟମରେ ହେଉଥିବା ଠକେଇ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ସହ ଅନେକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଗିରଫ କରାଯିବା ସହ ବହୁ ସଂଖ୍ୟକ ସିମ୍‌ କାର୍ଡ, ଏଟିଏମ୍‌ କାର୍ଡ, ଡିଜିଟାଲ ଡିଭାଇସ୍‌ ଓ ଅନ୍ୟାନ୍ୟ ଦସ୍ତାବିଜ ଜବତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୧ ଫେବୃଆରୀ ୨୦୨୬ ରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ସାଇବର ଅପରାଧ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତି ଅନୁଯାୟୀ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଜିଲ୍ଲାରେ ସାଇବର କବଚ ଅପରେସନ ଆରମ୍ଭ ହୋଇଥିଲା। ଜିଲ୍ଲା ଏସ୍‌ପିମାନଙ୍କ ନେତୃତ୍ୱରେ ମ୍ୟୁଲ୍‌ ବ୍ୟାଙ୍କ ଆକାଉଂଟ୍‌ ଓ ନକଲି ସିମ୍‌ ନେଟ୍‌ୱର୍କ ବିରୁଦ୍ଧରେ ଚଢ଼ାଉ ଚାଲିଥିଲା।