ଭୁବନେଶ୍ୱର: ରାଜ୍ୟକୁ ଉତ୍ତରା ପବନ ବହୁଥିବା ବେଳେ ବର୍ତ୍ତମାନ ଉତ୍ତର ପୂର୍ବରୁ ପବନ ବହିବ । ଫଳରେ ରାଜ୍ୟରେ କିଛି ଦିନ କମ ମାତ୍ରାରେ ଶୀତ ଅନୁଭୂତ ହେବ । କିନ୍ତୁ ଡିସେମ୍ବର ୩ ରୁ ସାରା ରାଜ୍ୟରେ ପୁଣିଥରେ ଉତ୍ତରା ପବନ ବହିବ । ଯାହାଫଳରେ ଶୀତରେ ଥିରିବ ସାରା ଓଡିଶା । ତେବେ ଏନେଇ ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
ସେ କହିଛନ୍ତି, ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡିକରେ ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ୨ ଡିଗ୍ରୀ ବଢିବ । ଫଳରେ ସେଠାରେ ଶୀତ କମ ଅନୁଭୂତ ହେବ । ଏହାପରେ ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ମଧ୍ୟ ରାତି ତାପମାତ୍ରା ୨ ଡିଗ୍ରୀ ବଢିପାରେ । ସେହିପରି ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ରାତି ତାପମାତ୍ରା ୧.୫ଡିଗ୍ରୀ ବଢିବ ବୋଲି ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି ।