ଭୁବନେଶ୍ୱର,(ଏସ୍ ନ୍ୟୁଜ): ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟଙ୍କ କାର୍ଯ୍ୟକାଳଆସନ୍ତା ଡିସେମ୍ବରରେ ସରୁଛି । ବର୍ତମାନ ଠାରୁ ପରବର୍ତ୍ତୀ ପୋଲିସ ମୁଖିଆ ଖୋଜା ପ୍ରକ୍ରିୟା ଆରମ୍ଭ ହୋଇ ଗଲାଣି । ଯୋଗ୍ୟ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ଠାରୁ ଏଥିପାଇଁ ଆବେଦନ ଆହ୍ୱାନ କରାଯାଇଛି ।
ମିଳିଥିବା ସୂତ୍ର ମୁତାବକ ୧୪ ଜଣ ବରିଷ୍ଠ ଅଫିସର ଡିଜିପି ଦୌଡ଼ରେ ସାମିଲ ହୋଇ ପାରନ୍ତି । ଯୋଗ୍ୟ ଆବେଦକଙ୍କ ତାଲିକା କେନ୍ଦ୍ରକୁ ଯିବ । କେନ୍ଦ୍ରୀୟ ଲୋକସେବା ଆୟୋଗର ସ୍ୱତନ୍ତ୍ର କମିଟି ଏଥିରୁ ୩ ଜଣଙ୍କ ନାମ ବାଛି ରାଜ୍ୟକୁ ପଠାଇବେ, ଯେଉଁଥିରୁ ରାଜ୍ୟ ସରକାର ନୂଆ ଡିଜିପିଙ୍କୁ ଚୟନ କରିବେ ।
ଚୟନ ମାନଦଣ୍ଡ ମୁତାବକ, ଯୋଗ୍ୟ ଆଇପିଏସ୍ଙ୍କର ୩୦ ବର୍ଷ ଚାକିରି ଅଭିଜ୍ଞତା ସହିତ ଚାକିରି ଅବଧି ଅନ୍ୟୁନ ୬ ମାସ ରହିବା ଜରୁରୀ ।
ଏ ମାନଦଣ୍ଡ ଅନୁସାରେ ୧୯୮୬ ବ୍ୟାଚ୍ର ୨ ଜଣ, ୧୯୮୭ର ଜଣେ, ୧୯୮୮ର ୪ ଜଣ, ୧୯୮୯ର ଚାରି ଜଣ ଏବଂ ୧୯୯୦ ବ୍ୟାଚ୍ର ୩ ଜଣ ଅଧିକାରୀ ଡିଜିପି ପଦ ପାଇଁ ଆବେଦନ କରି ପାରନ୍ତି । ଦୁଇ ଜଣ ଆଇପିଏସ୍ ଚଳିତ ବର୍ଷ ଅବସର ଗ୍ରହଣ କରୁଥିବାରୁ ବାଦ୍ ପଡ଼ିବେ ।ବରିଷ୍ଠତା ତାଲିକାରେ ସବୁଠାରୁ ଆଗରେ ଅଛନ୍ତି ୧୯୮୬ ଆଇପିଏସ୍ ପ୍ରଦୀପ କପୁର ଓ ବିଜୟ କୁମାର ଶର୍ମା । କେନ୍ଦ୍ରୀୟ ଡେପୁଟେସନରେ ଥିବା ପ୍ରଦୀପ ୨୦୨୨ ନଭେମ୍ବରରେ ଅବସର ନେବେ ।ମୁଦ୍ରଣ ଓ ପ୍ରକାଶନ ନିର୍ଦ୍ଦେଶକ ଶ୍ରୀ ଶର୍ମାଙ୍କ ଚାକିରି କାଳ ୨୦୨୨ ଅକ୍ଟୋବରରେ ସରୁଛି । ତେଣୁ ୧୯୮୬ରୁ ୧୯୯୦ ବ୍ୟାଚ୍ର ଏହି ଅଫିସରଙ୍କ ମଧ୍ୟରୁ କାହା ମୁଣ୍ଡରେ କଳସ ଢଳାଯିବ ସେ ନେଇ ଅଙ୍କ କଷା ଆରମ୍ଭ ହୋଇ ଯାଇଛି ।
ଏଥିସହିତ ୧୯୮୭ ବ୍ୟାଚ୍ ଆଇପିଏସ୍ ସୁନୀଲ୍ କୁମାର ବଂଶଲ ଓ ସୁରେନ୍ଦ୍ର ପନୱାରଙ୍କ ନାମ ମଧ୍ୟ ତାଲିକାରେ ଅଛି । ଉଭୟେ ଏବେ କେନ୍ଦ୍ରୀୟ ଡେପୁଟେସନରେ । କିନ୍ତୁ ଆସନ୍ତା ଅଗଷ୍ଟରେ ଶ୍ରୀ ପନୱାର ଅବସର ନେଉଥିବାରୁ ସେ ଡିଜିପି ପାହ୍ୟା ନ ପାଇଁ ପାରନ୍ତି । ୨୦୨୨ ଜୁନ୍ ଯାଏଁ କାର୍ଯ୍ୟକାଳ ଥିବା ଶ୍ରୀ ବଂଶଲ ଡିଜିପି ପାଇଁ ଆବେଦନ ଯୋଗ୍ୟ ।
୧୯୮୮ ବ୍ୟାଚ୍ରେ ୫ ଜଣ ବରିଷ୍ଠ ଆଇପିଏସ୍ ଅଛନ୍ତି ଯାହାକି ସେମାନେ ହେଲେ , ଅଗ୍ନିଶମ ଡିଜି ଏମ୍ ଅକ୍ଷୟ,ଜେଲ୍ ଡିଜି ସନ୍ତୋଷ ଉପାଧ୍ୟୟ, ଅତିରିକ୍ତ ଡିଜି (ଏଚ୍ଆର୍ପିସି) ବିନୟାନନ୍ଦ ଝା,ସ୍ୱତନ୍ତ୍ର ସଶସ୍ତ୍ର ପୁଲିସ (ଏସ୍ଏପି)ର ସ୍ୱତନ୍ତ୍ର ଡିଜି ମନୋଜ କୁମାର ଛାବ୍ରା ଓ ଅତିରିକ୍ତ ଡିଜି (ଯୋଗାଯୋଗ) ଅରୁଣ କୁମାର ରାୟ ।
ସୂଚନା ଥାଉକି ୨୦୨୩ ଅକ୍ଟୋବରରେ ଶ୍ରୀ ଛାବ୍ରା, ୨୦୨୩ ମାର୍ଚ୍ଚରେ ଶ୍ରୀ ଉପାଧ୍ୟୟ, ୨୦୨୨ ମାର୍ଚ୍ଚରେ ଶ୍ରୀ ଝା ଓ ୨୦୨୫ରେ ଶ୍ରୀ ରାୟଙ୍କ ଚାକିରି କାଳ ସରୁଛି । କିନ୍ତୁ ଏମ୍ ଅକ୍ଷୟ ଆସନ୍ତା ନଭେମ୍ବରରେ ଅବସର ନେଉଥିବାରୁ ଡିଜିପି ପାହ୍ୟା ପାଇଁ ଆବେଦନ କରିପାରିବେନି ।
୧୯୮୯ ବ୍ୟାଚ୍ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟ (ଅତିରିକ୍ତ ଡିଜି, ରେଳବାଇ ଓ ତଟବର୍ତ୍ତୀ ସୁରକ୍ଷା)ଙ୍କ ସହ ଅମ୍ରିତ ମୋହନ ପ୍ରସାଦ (କେନ୍ଦ୍ରୀୟ ଡେପୁଟେସନ), ବି. ରାଧିକା (କେନ୍ଦ୍ରୀୟ ଡେପୁଟେସନ) ଓ ଏସ୍. ଏନ୍. ନରଭାଣେ (ଅତିରିକ୍ତ ଡିଜି ଏଚଆର୍ପିସି) ମଧ୍ୟ ଡିଜିପି ରେସ୍ରେ ଅଛନ୍ତି । ପ୍ରାଣବିନ୍ଦୁ ଓ ବି. ରାଧିକାଙ୍କର ୨୦୨୪ ଯାଏଁ ଚାକିରି କାଳ ଥିବା ବେଳେ ଶ୍ରୀ ଆଚାର୍ଯ୍ୟ ଓ ଶ୍ରୀ ନରଭାଣେ ଆସନ୍ତା ୨୦୨୫ରେ ଅବସର ନେବେ ।
ବରିଷ୍ଠତାର ଶେଷ ସୋପାନରେ ଥିବା ୧୯୯୦ ବ୍ୟାଚ୍ର ଅଧିକାରୀଙ୍କ ମଧ୍ୟରୁ ୱାଇ ବି ଖୁରାନିଆ ଏବେ କେନ୍ଦ୍ରୀୟ ଡେପୁଟେସନ୍ରେ ଅଛନ୍ତି । ଡ. ସୁଧାଂଶୁ ଷଡ଼ଙ୍ଗୀ ଏବେ ଓଡ଼ିଶା ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ସିଏମ୍ଡି ପଦରେ ଓ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିେର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ମଧ୍ୟ ଡିଜିପି ରେସ୍ରେ ଅଛନ୍ତି ।