ନଭେମ୍ବର ୨୪ରେ ତୃତୀୟ ପାଳି ସୁଭଦ୍ରା

ନଭେମ୍ବର ୨୪ରେ ଅଙ୍ଗନବାଡ଼ି କର୍ମୀ ପାଇବେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ତୃତୀୟ ପାଳିରେ ରାଜ୍ୟର ସବୁ ଅଙ୍ଗନବାଡ଼ି କର୍ମୀଙ୍କୁ ସାମିଲ କରାଯାଇଛି । ନଭେମ୍ବର ୨୪ ତାରିଖରେ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା ବାବଦକୁ ୫ ହଜାର ଟଙ୍କା । ରାଜ୍ୟର କୌଣସି ଅଙ୍ଗନବାଡ଼ି କର୍ମୀଙ୍କ ମୁହଁରୁ ଆଉ ବିଜେଡିର ଗୁଣଗାନ ଶୁଣିବାକୁ ମିଳିବନି ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ମୁତାବକ ନଭେମ୍ବର ୨୪ ତାରିଖରେ ତୃତୀୟ ପାଳି ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ତୃତୀୟ ପାଳିର ହିତାଧିକାରୀଙ୍କୁ ମିଶାଇ ଏବେସୁଦ୍ଧା ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୮୦ ଲକ୍ଷରେ ପହଂଚିଛି । ନଭେମ୍ବର ୨୪ ତାରିଖରେ ୨୦ ଲକ୍ଷ ହିତାଧିକାରୀଙ୍କ ଜମାଖାତାକୁ ୫ ହଜାର ଟଙ୍କା ଲେଖାଏଁ ହସ୍ତାନ୍ତର କରାଯିବ ।

ନଭେମ୍ବର ୨୪ ତାରିଖରେ ସୁନ୍ଦରଗଡ଼ରେ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଛି । ଉକ୍ତ ସମାରୋହରେ ତୃତୀୟ ପାଳି ସୁଭଦ୍ରା ଟଙ୍କା ବିତରଣ କରାଯିବ ।

ଡିସେମ୍ବର ୨୪ ତାରିଖ ସୁଦ୍ଧା ରାଜ୍ୟର ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ଏକ କୋଟି ଟପିଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।