ନୂଆଦିଲ୍ଲୀ: ଆଜି ଦେଶର ବିଭିନ୍ନ ଭାଗରେ ବଳିଦାନର ପର୍ବ ଇଦ୍-ଉଲ୍-ଜୁହା ପାଳିତ ହେଉଛି। କେତେକ ସ୍ଥାନରେ କରୋନା ମହାମାରୀ ଦୃଷ୍ଟିରୁ ଇଦ୍ଗାହ ଏବଂ ମସ୍ଜିଦଗୁଡ଼ିକରେ ଏକତ୍ର ହେବାକୁ ବାରଣ କରାଯାଇଛି। ସରକାରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ମୁତାବକ ଏହି ପର୍ବ ପାଳନ ନିମନ୍ତେ ଧର୍ମଗୁରୁମାନେ ଆହ୍ୱାନ ଦେଇଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ୍.ଭେଙ୍କିୟାନାଇଡୁ ଇଦ୍-ଉଲ୍-ଜୁହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଇଦ୍-ଉଲ୍-ଜୁହା ହେଉଛି ନିସ୍ୱାର୍ଥପର ସ୍ନେହ ଏବଂ ବଳିଦାନର ଦିବସ। ଏହି ପର୍ବ ଆମକୁ ଏକତା ସୂତ୍ରରେ ବାନ୍ଧିହୋଇ ସମାଜରେ ବିକାଶ ଲକ୍ଷ୍ୟ ସାଧନ କରିବା ଦିଗରେ ବ୍ରତୀ କରାଇଥାଏ। ସେ କହିଛନ୍ତି ଏହି ପର୍ବ ଗରିବ ଏବଂ ଦଳିତମାନଙ୍କୁ ସାହାଯ୍ୟ କରିବା ଏବଂ ସ୍ନେହ ବାଣ୍ଟିବାର ପର୍ବ।
ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ଶ୍ରୀ ନାଇଡୁ କହିଛନ୍ତି, ବଳୀଦାନର ପର୍ବ ଇଦ୍-ଉଲ୍-ଜୁହା ଭଗବାନଙ୍କ ପ୍ରତି ସମର୍ପଣକୁ ଦର୍ଶାଇଥାଏ। ସେ କହିଛନ୍ତି, ପର୍ବପର୍ବାଣୀ ଗୁଡ଼ିକରେ ପରିବାର ଓ ସମ୍ପ୍ରଦାୟ ଏକାଠି ହୋଇ ଉତ୍ସବ ପାଳନ କରିଥାନ୍ତି। କୋଭିଡ୍ ସୁରକ୍ଷା ନିୟମ ଅନୁପାଳନ କରି ସମସ୍ତେ ଇଦ୍ ଉତ୍ସବ ପାଳନ ପାଇଁ ଉପରାଷ୍ଟ୍ରପତି ନିବେଦନ କରିଛନ୍ତି।