ଭୁବନେଶ୍ୱର: ବିଧାନସଭାରେ ଲିଭୁନି ଏସ୍ସିବି ଅଗ୍ନିକାଣ୍ଡ ନିଆଁ। ଲଗାତର ଭାବରେ ଏ ପ୍ରସଙ୍ଗରେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି ବିରୋଧୀ। ଏହି ପ୍ରସଙ୍ଗରେ ତୃତୀୟ ଦିନ ପାଇଁ ଗୃହ ଅଚଳ ରହିଛି। ଏସସିବି ମେଡ଼ିକାଲ ନିଆଁ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରତିବାଦକୁ ନେଇ ଗୃହରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିରୋଧୀ ଦଳ ନାଟକ ବାଜି କରୁଛନ୍ତି। ଶବ ଉପରେ ଶୋଭାଯାତ୍ରା କରି ପୀଡିତ ପରିବାରକୁ ଉପହାସ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଧାନସଭାରେ ଜଳ ସମ୍ପଦ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ରାଗ ରାଗ ଜାଗାରେ। ଦୁଃଖ ଦୁଃଖ ଜାଗାରେ। କିନ୍ତୁ ବିରୋଧୀ ଗୃହକୁ ସମ୍ପୂର୍ଣ୍ଣ ଅଚଳ କରିବା, ଗୃହରେ ଅନୁପସ୍ଥିତ ରହିବା। ନିଜ ଅଂଚଳର କଥା ଗୃହରେ ନ ରଖିବା। ନାଟକ ବାଜି କରିବା ଇଏ ସମ୍ପୂର୍ଣ୍ଣ ନକରାତ୍ମକ ଚିନ୍ତାଧାରା। ଯେତେବେଳେ କିଛି ଘଟଣା ଘଟିବ ସେତେବେଳେ ବିଧାନସଭାରେ ସେହି କଥା ରଖିବା ରହି ଆସିଛି। କିନ୍ତୁ ସର୍ବଦଳୀୟ ବୈଠକ ପରେ ଗୃହକୁ ସ୍ୱାଭାବିକ କରାଯିବା କଥା। ନଚେତ ଗାନ୍ଧୀ ମୂର୍ତି ତଳେ ବସିବା କିମ୍ବା ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବା ରହିଛି।
ବିରୋଧୀ ଦଳ ଭାବେ ଆମେ ମଧ୍ୟ ତାହା କରୁଥିଲୁ। ମାତ୍ର ବର୍ତମାନ ବିରୋଧୀ ଦଳ ତାହା ନ କରି କେବଳ ବିଧାନସଭା ଆସି ହୋ ହଲ୍ଲା କରି ଚାଲିଯିବାର ନାଟକ ବାଜି କରିବାର ମାନେ କଣ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ବିଧାନସଭାରେ ବିରୋଧୀ ଆସି ଆଲୋଚନା କରନ୍ତୁ ନଚେତ ଲୋକେ କ୍ଷମା କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ସରକାରଙ୍କ କାମ ପ୍ରତି ଲୋକଙ୍କ ବିଶ୍ୱାସ ଅଛି। ସେଥିପାଇଁ ଉପ ନିର୍ବାଚନ ଓ ରାଜ୍ୟସଭା ନିର୍ବାଚନ ଭଳି ନିର୍ବାଚନରେ ଜନ ସମର୍ଥନ ଆମ ସରକାର ସାଉଁଟୁଛନ୍ତି।