ଓୟୁଟିଆରର ହେବ ନବକଳେବର : ୩ବର୍ଷରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା

ଓଡିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା…

ଭୁବନେଶ୍ୱର : ଓଡିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ(OUTR)ର ହେବ ନବକଳେବର । ବୈଷୟିକ ଶିକ୍ଷା କ୍ଷେତ୍ରରେ ରୂପାନ୍ତର ଆସିବ । ତିନି ବର୍ଷରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି ବା ସିଇଟି ଭାବେ ପରିଚିତ ଥିଲା । ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ ଜରିଆରେ ଏହି ଅନୁଷ୍ଠାନର ହେବ ରୂପାନ୍ତର । ତିନି ବର୍ଷରେ ତିନୋଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା। କେବଳ ପ୍ରଥମ ବର୍ଷରେ ବିନିଯୋଗ ହେବ ୧୦୦୦ କୋଟି ଟଙ୍କା । ଆଇଆଇଏମ୍, ଆଇଆଇଟି ଓ ଏନଆଇଟି ପରି ଖ୍ୟାତିସମ୍ପନ୍ନ ବୈଷୟିକ ଅନୁଷ୍ଠାନ ପରି ଏହାର ବିକାଶ କରାଯାଇପାରିବ । ଆଜି ଓୟୁଟିଆରର ବିକାଶ ସଂପର୍କିତ ମାଷ୍ଟର ପ୍ଲାନକୁ ଆଜି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ଓୟୁଟିଆରରେ ୪୬୦୦ ଛାତ୍ରଛାତ୍ରୀ ପଢୁଥିବା ବେଳେ ଆଗାମୀ ୫ ବର୍ଷରେ ଯେପରି ୧୦ ହଜାର ଛାତ୍ରଛାତ୍ରୀ ପଢିବାର ସୁଯୋଗ ପାଇବେ, ତାକୁ ଦୃଷ୍ଟିରେ ରଖି ଏହାକୁ ଆଇଆଇଟି ଢାଞ୍ଚାରେ ବିକାଶ କରାଯିବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ଓୟୁଟିଆରର ରୂପାନ୍ତର ସଂପର୍କିତ ଏକ ଉପସ୍ଥାପନା ରଖିଥିଲେ । ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ବୈଠକରେ ଓୟୁଟିଆରର ଓଏସଡି ଡଃ ରମେଶ ପାତ୍ର ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ନିଷ୍ଠାପର ଉଦ୍ୟମ କରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ସରକାରଙ୍କ ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହିତ ବିଶ୍ବବିଦ୍ୟାଳୟର ଗୌରବ ବୃଦ୍ଧି ପାଇଁ ଯତ୍ନବାନ ହେବେ ବୋଲି କହିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଶାଳ ଦେବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।