ଭୁବନେଶ୍ୱରରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି
ଭୁବନେଶ୍ୱରରେ ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ପହଞ୍ଚିଛନ୍ତି । ବିମାନବନ୍ଦରଠାରୁ ହୋଟେଲ…
ଭୁବନେଶ୍ୱର: ଭୁବନେଶ୍ୱରରେ ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ପହଞ୍ଚିଛନ୍ତି । ବିମାନବନ୍ଦରଠାରୁ ହୋଟେଲ ଓ ଷ୍ଟାଡିୟମ ଯାଏଁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କ ସ୍ୱାଗତ ପାଇଁ ଭୁବନେଶ୍ୱର ହୋଟେଲ ମେ’ ଫେୟାରରେ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ବିଶେଷ କରି ଖେଳାଳିମାନେ କ’ଣ ଖାଇବେ ସେନେଇ ହୋଟେଲ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଭାରତୀୟ ଖେଳାଳିଙ୍କ ପାଇଁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ହେବ ।ସବୁ ଖେଳାଳିଙ୍କ ପାଇଁ ଡାଲମା ରହିବ । ଏହା ସହ ଖେଳାଳିଙ୍କ ଖାଦ୍ୟରେ ଛେନାପୋଡ ଦିଆଯିବ । ଆଗକୁ ରଜ ଥିବାରୁ ହୋଟେଲ ପକ୍ଷରୁ ୧୨ ପ୍ରକାର ପିଠା ପ୍ରସ୍ତୁତ ହେବ ।
ଖେଳାଳିମାନଙ୍କ ପାଇଁ କାକେରା, ଆରିସା, ଚକୁଳି ଓ ମଣ୍ଡା ପରି ପିଠା ଦିଆଯିବ । ଖେଳାଳିମାନେ ରେଡ୍ ମିଟ୍ ପସନ୍ଦ କରୁନଥିବାରୁ ତାହାକୁ ମେନ୍ୟୁରୁ ବାଦ୍ ଦିଆଯାଇଛି । ଅଲିଭ୍ ତେଲରେ ଖେଳାଳିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯିବ । ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ରୁଚି ଅନୁସାରେ ଖାଦ୍ୟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ହେଟେଲ ମେ’ ଫେୟାର ମୁଖ୍ୟ ସେଫ୍ ମୃଦୁଲ ମଣ୍ଡଳ ।