ପିଏନ୍‌ଜି ଭିତିଭୂମି ଅନୁମୋଦନ ସରଳୀକୃତ

ଓଡ଼ିଶାର ସହରାଂଚଳରେ ସ୍ୱଚ୍ଛଶକ୍ତି ଭିତିଭୂମିର ….

ଭୁବନେଶ୍ୱର: ଓଡ଼ିଶାର ସହରାଂଚଳରେ ସ୍ୱଚ୍ଛଶକ୍ତି ଭିତିଭୂମିର ସମ୍ପ୍ରସାରଣକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସହରାଂଚଳ ଗ୍ୟାସ୍‌ ବିତରଣ ପ୍ରକଳ୍ପ (ପାଇପ୍‌ଡ୍‌ ନେଚୁରାଲ୍‌ ଗ୍ୟାସ୍‌-ପିଏନ୍‌ଜି) ଅନୁମୋଦନ ପ୍ରକ୍ରିୟାକୁ ସରଳୀକୃତ କରାଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢୀ ଏ ସଂପର୍କରେ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନୂତନ ନିର୍ଦ୍ଦେଶ ମୁତାବକ, ଭୂତଳ ପାଇପଲାଇନ୍‌ ବିଛାଇବା ଓ ଅନ୍ୟାନ୍ୟ ସିଜିଡି ଭିତିଭୂମି ନିର୍ମାଣ ପାଇଁ ସହରାଂଚଳ ସ୍ଥାନୀୟ ସଂସ୍ଥା ବା ୟୁଏଲବିଗୁଡ଼ିକ କୌଣସି ଅନୁମତି ଶୁଳ୍କ ଆଦାୟ କରିବେ ନାହିଁ। ଏଥିସହିତ ଚାଲୁ ରହିଥିବା କିମ୍ବା ପୂର୍ବରୁ ମଞ୍ଜୁର ହୋଇଥିବା କାର୍ଯ୍ୟ ପାଇଁ କୌଣସି ନୂତନ ଅନୁମତିର ଆବଶ୍ୟକତା ପଡ଼ିବ ନାହିଁ। ଏହାଦ୍ୱାରା ପ୍ରଶାସନିକ ବିଳମ୍ବ ଦୂର ହେବ ଓ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବ। ଏହାସହ ରାଜ୍ୟ ସରକାର ସମୟବଦ୍ଧ ଅନୁମୋଦନ ଉପରେ ଗୁରୁତ୍ୱ ଦେଇଛନ୍ତି। ସମ୍ପୃକ୍ତ କର୍ତୃପକ୍ଷଙ୍କୁ ଆବେଦନଗୁଡ଼ିକର ତୁରନ୍ତ ଫଏସଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏପରିକି ସିଜିଡି ପ୍ରକଳ୍ପ କାର୍ଯ୍ୟକୁ ବାଧାମୁକ୍ତ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟରେ ରାଜପଥ ବା ରାସ୍ତା ଖୋଳିବା ଉପରେ ଥିବା କଟକଣାକୁ ମଧ୍ୟ କୋହଳ କରାଯାଇଛି। କାର୍ଯ୍ୟକାରିତାକୁ ସହଜ କରିବା ସହିତ ଏହି ପ୍ରକ୍ରିୟାରେ ଉତରଦାୟିତ୍ୱକୁ ନିଶ୍ଚିତ କରାଯାଇଛି। ସମ୍ପୃକ୍ତ ସିଜିଡି ସଂସ୍ଥାଗୁଡ଼ିକ ନିଜ ଖର୍ଚ୍ଚରେ ଏବଂ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ରାସ୍ତା ଓ ଅନ୍ୟାନ୍ୟ ଭିତିଭୂମିର ପୁନରୁଦ୍ଧାର ବା ରେଷ୍ଟୋରେସନ କରିବାକୁ ବାଧ୍ୟ ରହିବେ। ରାଜ୍ୟରେ ସିଜିଡି ସମ୍ପର୍କିତ କାର୍ଯ୍ୟର ସମନ୍ୱୟ ଏବଂ ଅନୁଧ୍ୟାନ ପାଇଁ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।

ଏହି ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ପାଇଁ ପୂର୍ତ ବିଭାଗ, ଜଳସମ୍ପଦ, ଶକ୍ତି ଏବଂ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପୂର୍ଣ୍ଣ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏହି ସମସ୍ତ ପଦକ୍ଷେପ ଆଗାମୀ ଜୁନ୍‌ ୩୦, ୨୦୨୬ ପର୍ଯ୍ୟନ୍ତ କିମ୍ବା ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତର ରହିବ। ଏହି ପଦକ୍ଷେପ ଓଡ଼ିଶାରେ ପିଏନଜି ସଂଯୋଗକୁ ବଢ଼ାଇବା ସହ ଏକ ସ୍ଥାୟୀ ଏବଂ ଶକ୍ତି-ଦକ୍ଷ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ।