ଭୁବନେଶ୍ୱର: ପୁଲିସ ସବ୍ ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା ଦୁର୍ନୀତି ମାମଲାରେ ନୂଆ ଫର୍ଦ୍ଦ ଯୋଡ଼ି ହେଉଛି। ଆନ୍ଧ୍ରପ୍ରଦେଶର ବିଜୟନଗରମ ଓ କଲକାତାର ଦିଘା ମଡ୍ୟୁଲ ଚଳାଇ ଥିଲେ ମାଷ୍ଟରମାଇଣ୍ଡ। ବିଜୟନଗରମ ମଡ଼୍ୟୁଲକୁ ମୁନା ମହାନ୍ତି ଓ ଦିଘା ମଡ଼୍ୟୁଲ ଅରବିନ୍ଦ ଦାସଙ୍କୁ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ମୁନା ଏହି ମହାଦୁର୍ନୀତିରେ ମୁଖ୍ୟ ଖଳନାୟକ ସାଜିଥିଲା।
ଶ୍ରୀକାନ୍ତ ମହାରଣା, ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀ ସାମଲ, ବିଶ୍ୱରଞ୍ଜନ ବେହେରା ଓ ଫେରାର ଥିବା ଧର୍ମେନ୍ଦ୍ର ପ୍ରଧାନ ଓରଫ ଅନ୍ନବଙ୍କ ଭଳି ୧୦ରୁ ଅଧିକ ଦଲାଲଙ୍କୁ ପରୀକ୍ଷାର୍ଥୀ ଯୋଗାଡ଼ ଦାୟିତ୍ୱ ଦେଇଥିଲା ମୁନା। ସମ୍ପୃକ୍ତ ଦଲାଲମାନେ ପରୀକ୍ଷାର୍ଥୀଙ୍କ ପିଛା ଆଦାୟ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା। ପରୀକ୍ଷାର୍ଥୀଙ୍କଠାରୁ ଆଣିଥିବା ଟଙ୍କାରେ ଏମାନେ ସ୍ପାଇସ ଜେଟ୍ରେ ବୁଲିବା ସହ ଦାମୀ ହୋଟେଲରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଛନ୍ତିି। ମୁନା ସମେତ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ପରୀକ୍ଷାର୍ଥୀଙ୍କୁ ଅଗ୍ରିମ ୨ରୁ ୩ଲକ୍ଷ ଟଙ୍କା ସଂଗ୍ରହ କରି ସମ୍ପତି ଠୁଳ କରିଛନ୍ତି।
ପରୀକ୍ଷାର୍ଥୀଙ୍କୁ ନେଇ ବିଜୟନଗରମ୍ ଯାଉଥିବା ୩ଟି ବସ୍କୁ ମୁନା ବୁଝିଥିଲା ଓ ତାଙ୍କ ମା’ ଆକାଉଂଟ୍ରୁ ୨ ଲକ୍ଷ ୪୦ ହଜାର ଟଙ୍କା ଦେଇଥିଲା। ବିଜୟନଗରମରେ ହେବାକୁ ଥିବା ପରୀକ୍ଷା ସ୍ଥାନରେ ଆଗୁଆ ବାହାରିଥିଲା ମୁନା। ନିଜ ସ୍କର୍ପିଓରେ ଚାଳକ କୁଦୁସ୍ ଖାନ୍ ଓ ଜଣେ ସହଯୋଗୀକୁ ନେଇ ସେଠାରେ ଆଗୁଆ ପହଂଚି ବସ୍ରେ ଥିବା ୩ ଦଲାଲ ଲୋକନାଥ ସାହୁ, ତଫିମ ଅହମ୍ମଦ ଖାନ ଓ ବିଶ୍ୱଜିତ ହରିଚନ୍ଦନକୁ ଲାଇଭ ଲୋକେସନ ପଠାଇଥିଲା। ବସ୍ ଭୁବନେଶ୍ୱରରୁ ବାହାରିବା ପରେ ୧୧୪ ପରୀକ୍ଷାର୍ଥୀଙ୍କୁ ସମ୍ଭାବ୍ୟ ପ୍ରଶ୍ନପତ୍ର ଦିଆଯାଇ ସେମାନଙ୍କ ଠାରୁ ଅସଲି ସାର୍ଟିଫିକେଟ୍ ଓ ଟଙ୍କା ନେଇଥିଲେ। ବସ୍ ଧରାପଡ଼ିବା ପରେ ମୁନା ସମସ୍ତ ପ୍ରମାଣ ନଷ୍ଟ କରି ଦେଇଥିଲା। ଅନୁରୂପ ଭାବେ ବିଜୟନଗରମ ମଡ଼୍ୟୁଲ ଓ କଲକାତାର ଦୀଘା ମଡ଼୍ୟୁଲ ତଦାରଖ କରିବା ଲାଗି ଶଙ୍କର ପୃଷ୍ଟି ନିଜର ଦୁଇ ପ୍ରମୁଖ ସହଯୋଗୀ ସାଗର ଗୌଡ଼ ଓ ବଳରାମ ପ୍ରଧାନଙ୍କୁ ଦାୟିତ୍ୱ ଦେଇଥିଲା।
ଗତ ସେପ୍ଟେମ୍ବର ୨୯ରେ ଗିରଫ ସାଗର ଦିଲ୍ଲୀରୁ ସ୍ୱତନ୍ତ୍ର ସ୍ପାଇସ୍ ଜେଟ୍ରେ କଲକାତାରେ ପହଂଚିଥିଲା ଓ ସେଠାରୁ ଦିଘା ଯାଇଥିଲା। ବିଜୟନଗରମ ମଡ୍ୟୁଲ ତଦାରଖ ଲାଗି ବଳରାମ ସେଠାରୁ ସ୍ୱତନ୍ତ୍ର ଫ୍ଲାଇଟ୍ରେ ଯାଇଥିଲା। ସେଠାରେ ପରୀକ୍ଷାର୍ଥୀଙ୍କ ରହଣି, ଡିଜିଟାଲ୍ ଉପକରଣ ସହ ଅନ୍ୟାନ୍ୟ ସୁବିଧା ପଚାରି ବୁଝିଥିଲା। ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବସ୍ ଧରାପଡ଼ିବା ପରେ ସାଗର ଓ ବଳରାମ ସ୍ୱତନ୍ତ୍ର ସ୍ପାଇସ ଜେଟ୍ରେ ପୁନଶ୍ଚ ଦିଲ୍ଲୀ ପ୍ରତ୍ୟାବର୍ତନ କରିଥିଲେ। ସେହିପରି ସିବିଆଇ ମାର୍ଚ୍ଚ ମଡ଼୍ୟୁଲକୁ ନେଇ ଅଧିକ ତନାଘନା କରି ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସିବିଆଇକୁ ତଦନ୍ତରେ ୪ ପରୀକ୍ଷାର୍ଥୀ ସହଯୋଗ କରିବା ସହ ତଥ୍ୟ ଦେବା ପରେ ପୂରା ଦୁର୍ନୀତି ସାମ୍ନାକୁ ଆସିଥିଲା। ବିଜୟନଗରମ୍ ଯାଉଥିବା ବେଳେ ଧରାପଡ଼ିଥିବା ୧୧୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ ପରୀକ୍ଷାର୍ଥୀ ଖୋଲିଥିଲେ ଗୁମର। ୪ ପରୀକ୍ଷାର୍ଥୀ ସନ୍ତୋଷ କୁମାର ପରିଡ଼ା, ସୁଧୀର କୁମାର ଗିରି, ରାକେଶ କୁମାର ଚାନ୍ଦ ଓ ଅଜୟ ବେହେରା ମାର୍ଚ୍ଚରେ ଚାକିରି ଲାଗି ଟଙ୍କା ଦେଇଥିଲେ। ମାର୍ଚ୍ଚରେ ପରୀକ୍ଷା ବାତିଲ ହେବା ପରେ ସେପ୍ଟେମ୍ବର ପରୀକ୍ଷା ଲାଗି ଟଙ୍କା ଦେଇଥିଲେ। ଅରବିନ୍ଦ ଧରାପଡ଼ିବା ପରେ ସାମ୍ନାକୁ ଆସିଥିଲା ଅନେକ ଚେହେରା। ମାର୍ଚ୍ଚରେ କଲକାତାର ଦିଘା ଓ ସୁନ୍ଦରବନରେ ୧୩୧ ପରୀକ୍ଷାର୍ଥୀଙ୍କୁ ନେଇ ଚଳାଉଥିବା ଲିଙ୍କରେ ବିରଂଚି ନାୟକ, ଅର୍ଜୁନ ନାୟକ, ନିମାଇଁ ଚରଣ ସାହୁ, ନୀତିଶ କୁମାର, ଅମିତ ଭାରତୀ ଓରଫ ରାମବାବୁଙ୍କୁ ଗିରଫ କରିଛି ସିବିଆଇ।