ଭୂତ ନିକଟରୁ ଋଣ ଟଙ୍କା ଆଦାୟ କରିବା ମାମଲା ଏବେ ପୁଲିସ ପାଇଁ ଏକ ଚାଲେଞ୍ଜ ହୋଇଛି । ଭୂତ ଠିକଣାରେ ପଠାଯାଇଥିବା ଋଣ ପରିଶୋଧ ନୋଟିସ୍ ପଡ଼ିଗଲା ପୁଅ ନିରଞ୍ଜନଙ୍କ ହାତରେ ।
ମଲା ପରେ ମଧ୍ୟ ଋଣ ଟଙ୍କା ନେଇ ପୁଅକୁ ବିପଦରେ ପକାଇଥିବା ଧୂର୍ତ ଭୂତକୁ ଧରିବା ପାଇଁ ପୁଲିସ ଗାଁ ମଶାଣି ନିକଟରୁ ତଦନ୍ତ ଆରମ୍ଭ କରିଛି ।
ନବୀନ ପଟ୍ଟନାୟକଙ୍କ ଶାସନ କାଳକୁ ଓଡ଼ିଶା ଇତିହାସର ସୁବର୍ଣ୍ଣ ଯୁଗ କହିଲେ ଚଳିବ ନା! ଟିକିଏ ଭାବିଚିନ୍ତି କୁହନ୍ତୁ ନଚେତ୍ ନବୀନ ବାବୁ କହିବେ କ’ଣ ନା’ ମୁଁ ତାଙ୍କ ଦକ୍ଷ ଶାସନକୁ ନିନ୍ଦା କରୁଛି ।
ଗରିବ ଭୂତଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଓଡ଼ିଶାରେ ଗୋଟିଏ ସମବାୟ ସମିତି ପ୍ରତିଷ୍ଠା କରିଥିଲେ । ମୃତୁ୍ୟର ୬ ବର୍ଷ ପରେ ଜଣେ ଚାଷୀଙ୍କ ଭୂତ ରବି ଫସଲ ପାଇଁ ସମବାୟ ସମିତିରୁ ଋଣ ବାବଦ ଟଙ୍କା ଉଠାଇଥିଲେ, ଇତି ମଧ୍ୟରେ ୧୨ ବର୍ଷ ବିତିଗଲାଣି ।
ଭୂତଟି ନେଇଥିବା ମୂଳଧନ ଓ ସୁଧ ମିଶାଇ ୬୬ ହଜାର ୫୦୦ ଟଙ୍କା ଟପିଗଲା । ଭୂତଟି ଟଙ୍କାଟିଏ ପରିଶୋଧ ନକରିବା ଦେଖି ସମିତି ପକ୍ଷରୁ ଏକ ନୋଟିସ୍ ଭୂତଙ୍କ ପୁଅ ନିକଟରେ ପହଂଚିଛି । ଭୂତଟିର ପୁଅଙ୍କ ଅକଲ ଗୁଡୁମ ।
ସମିତି ଦ୍ୱାରା ଲୋକହସା ହେବା ଭୟରେ ଭୂତଙ୍କ ପୁଅ ଥାନାର ଆଶ୍ରୟ ନେଇଛନ୍ତି । ଭୂତଙ୍କ ପୁଅ ଅଭିଯୋଗ କରିଛନ୍ତି ଯେ ଜୀବନ୍ତ ଲୋକଟିଏ ସମବାୟ ସମିତି ନିକଟରୁ ସହଜରେ ଋଣ ପାଇପାରୁନି, ସେତେବେଳେ ଜଣେ ଚାଷୀଙ୍କ ଭୂତକୁ ଋଣ ମଞ୍ଜୁର କରାଗଲା କିପରି?
ଧନ୍ୟ ନବୀନ ବାବୁ, ଆପଣ ମହାନ । ଜିଅନ୍ତା ଲୋକଙ୍କ ତୁଳନାରେ ଭୂତଙ୍କ ପ୍ରତି ଆପଣଙ୍କ ମନରେ କେତେ ଦରଦ ସତେ?
ନବୀନ ବାବୁଙ୍କ ଅନୁକମ୍ପା ଲାଭ କରିଥିବା ସେହି ଭୂତଙ୍କ ନାମ ନାରାୟଣ ସ୍ୱାଇଁ । ବାବୁ ନାରାୟଣଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ସିକୋ ଗ୍ରାମରେ ।
ନାରାୟଣ ୨୦୦୭ ମସିହା ସେପ୍ଟେମ୍ବର ୨୦ ତାରିଖରୁ ମଲେଣି । ମାତ୍ର ପରିବାର ଗୁଜୁରାଣ କରିବା ପାଇଁ ନାରାୟଣଙ୍କ ଭୂତ ୨୦୧୩ ମସିହାରେ ରବି ଫସଲ ଋଣ ବାବଦକୁ ସିକୋ କୃଷି ସମବାୟ ସମିତିରୁ ୪୩ ହଜାର ୧୬୨ ଟଙ୍କା ଉଠାଇଲେ ।
ସମବାୟ ସମିତିର କିଛି ସାଧୁ କର୍ମଚାରୀ ନାରାୟଣଙ୍କ ଭୂତକୁ ଦେଖି ଚିହ୍ନି ପାରିଥିଲେ ।
୨୦୨୫ ମସିହା ସେପ୍ଟେମ୍ବର ୨୩ ତାରିଖରେ ସିକୋ କୃଷି ସମବାୟ ସମିତି ପକ୍ଷରୁ ଗୋଟିଏ ଋଣ ପରିଶୋଧ ନୋଟିସ୍ ଯାଇ ପହଂଚିଲା ଭୂତଚାଷୀ ନାରାୟଣ ସ୍ୱାଇଁଙ୍କ ପୁଅ ନିରଞ୍ଜନ ସ୍ୱାଇଁ । ନିରଞ୍ଜନଙ୍କ ମୁଣ୍ଡ ବିଗିଡ଼ିଗଲା । ସେ କିଛି ବୁଝି ପାରିଲେନି ।
ତାଙ୍କ କହିବା କଥା ହେଉଛି, ବାପା ୨୦୦୭ ମସିହାରୁ ମଲେଣି । ତାଙ୍କ ଭୂତକୁ ୨୦୧୩ ମସିହାରେ ମଞ୍ଜୁର କଲେ କିପରି? ଋଣ ମଞ୍ଜୁର କରିଥିବା ସମିତି ଏତେ ବର୍ଷ ଧରି ନିରବ ଥିଲା କାହିଁକି? ଏବେ ନୋଟିସ୍ ପଠାଇ ଋଣ ପରିଶୋଧ ପାଇଁ ଧମକ ଦେଉଛି କାହିଁକି?
ମାମଲା ଏବେ ଥାନାରେ ପହଂଚିଛି । ଋଣ ଟଙ୍କା ହଡ଼ପ କରିଥିବା ଭୂତକୁ ପୁଲିସ ଧରିବା ଏବେ କାଠିକର ହୋଇଛି । ଋଣ ଟଙ୍କା ପ୍ରଦାନ କରିଥିବା ସମବାୟ ସମିତିରେ ଏବେ ଯୋଉ ଅଧିକାରୀ ନୋଟିସ୍ ପଠାଇଛନ୍ତି, ସେ ପୂର୍ବତନ ଅଧିକାରୀଙ୍କ ସମୟର ଋଣ ମାମଲାରେ ବେଶି ମୁଣ୍ଡ ଖେଳାଇବାକୁ ନାରାଜ ।