ପୁଲିସ ଗାଡ଼ିରେ ନିଆଁ,ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ପଣସୁଧା ଗ୍ରାମରେ..

ଯାଜପୁର,(ଏସ୍ ନ୍ୟୁଜ): ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ପୋଲିସ ସୀମା ଅନ୍ତର୍ଗତ ପଣସୁଧା ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ଗାଁରେ ୨ଟି ଗୋଷ୍ଠୀ ମଧ୍ୟରେ ହୋଇଥିବା ବିବାଦ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସ୍ଥିତି ଅନୁଧ୍ୟାନ ପାଇଁ ବାଲିଚନ୍ଦ୍ରପୁର ପୋଲିସ ଷ୍ଟେସନରୁ ଏକ ପୋଲିସ ଟିମ୍ ଗାଁକୁ ଯାଇଥିଲେ। ଉତ୍ତେଜିତ ଲୋକଙ୍କୁ ପୁଲିସ ବୁଝାଶୁଝା କରୁଥିବା ବେଳେ କିଛି ଉତ୍ତ୍ୟକ୍ତ ଲୋକ ପୁଲିସ୍‌ ଗାଡ଼ିରେ ନିଆଁ ଲଗାଇ ଦେଇ ଗାଡ଼ି ଜାଳିଦେଇଛନ୍ତି। ଏଥିରେ ଜଣେ ପୁଲିସ୍‌ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଥାନା ଅଧିନ ପଣସୁଧା ଗାଁରେ ଅଷ୍ଟପ୍ରହର ମଣ୍ଡପ ନେଇ ବିବାଦ ଦେଖାଯାଇଥିଲା। ଏହି ବିବାଦ ପରବର୍ତ୍ତୀ ସମୟରେ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଘଟଣାର ସ୍ଥିତି ସଂପର୍କରେ ଅବଗତ ହେବା ପାଇଁ ପୁଲିସ ଆଜି ପଣସୁଧା ଗାଁରେ ପହଂଚିଥିଲା। କିନ୍ତୁ ଉତ୍ତେଜିତ ଲୋକେ ପୁଲିସକୁ ସହଯୋଗ କରିବା ବଦଳରେ ଉଗ୍ର ହୋଇ ଉଠିଥିଲେ । ସେମାନେ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏଥି ସହିତ ପୁଲିସ ଉପ‌ରେ ଆକ୍ରମଣ ମଧ୍ୟ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଉପ-ବିଭାଗୀୟ ପୋଲିସ ଅଧିକାରୀ (ଏସଡିପିଓ) ଗୋଟିଏ ପ୍ଲାଟୁନ୍ ଫୋର୍ସ ନେଇ ଗାଁରେ ପହଞ୍ଚିଥିଲେ। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ବାହାର ଲୋକଙ୍କ ଗାଁକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି।