ପରିବାରକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ବହୁପତି ପ୍ରଥାର ସୂତ୍ରପାତ ହୋଇଥିଲା ଯାହା ଆଜି ମଧ୍ୟ ଭାରତର କିଛି ଅଂଚଳରେ ବଂଚି ରହିଛି । ଦୁଇଭାଇ ବିବାହ କରିଛନ୍ତି ଗୋଟିଏ କନ୍ୟାକୁ । ମହାଭାରତରେ ପାଣ୍ଡବ ଭାବେ ବିଦିତ ୫ ଭାଇ ବିବାହ କରିଥିଲେ ଦ୍ରୌପଦୀଙ୍କୁ ।
କେବଳ ଭାରତରେ ନୁହେଁ, ସାରା ବିଶ୍ୱର ଅନେକ ଭୂଖଣ୍ଡରେ ବହୁପତି ବ୍ୟବସ୍ଥା ବଂଚି ରହିଛି । ପରିବାରକୁ ଏକାନ୍ନବର୍ତୀ ରଖିବା ପାଇଁ ଏଭଳି ସାମାଜିକ ପରମ୍ପରାକୁ ଆମ ସମାଜ ଗ୍ରହଣ କରି ନେଇଥିଲା । ମାତ୍ର ପରବର୍ତୀ ସମାଜ ତାକୁ ସଂଶୋଧନ କଲା ।
ବହୁପତି ପ୍ରଥା ସେହି ପରିବାରରେ ସମ୍ଭବ ଯୋଉ ପରିବାରରେ ଏକାଧିକ ଭାଇ ଏକମନ ଏକପ୍ରାଣ ହୋଇ ରହିବାକୁ ଆଗ୍ରହୀ ଥିବେ । କିନ୍ତୁ ଆଜିର ସମାଜରେ ଏକାଧିକ ଭାଇ ଗୋଟିଏ ଝିଅକୁ ସାରା ଜୀବନ ପତ୍ନୀ ରୂପେ ଗ୍ରହଣ କରି ରହିବା ସମ୍ଭବ କି?
ଲୋକଙ୍କ ଚିନ୍ତାଧାରା ବଦଳିଲା । ପୁରୁଣା ସାମାଜିକ ପରମ୍ପରାଗୁଡ଼ିକ ପୁସ୍ତକକୁ ମଣ୍ଡନ କଲା । ଆଧୁନିକ ସମାଜ ବହୁପତି ପ୍ରଥାକୁ ସଂପୂର୍ଣ୍ଣ ଏଡ଼ାଇ ଦେଇଛି । ବହୁପତି ଶବ୍ଦଟିକୁ ଶୁଣିବା ମାତ୍ରେ ଲୋକଙ୍କ ମନରେ ନାନା ସନ୍ଦେହ ଦାନା ବାନ୍ଧୁଛି ।
ତେଣୁ ଏଭଳି ଏକ ବ୍ୟବସ୍ଥା ପୁଣି ଆଧୁନିକ ସମାଜ ଭିତରକୁ ଧସେଇ ପଶିବା ଫଳରେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିବା ସ୍ୱାଭାବିକ ନୁହେଁ କି?
ଭାରତରେ ବହୁ ଭାଷା, ବହୁ ଜାତି, ବହୁ ବର୍ଣ୍ଣ, ବହୁ ସଂପ୍ରଦାୟର ଲୋକମାନେ ବସବାସ କରୁଛନ୍ତି । ସବୁ ଅଂଚଳର ସାମାଜିକ ଚଳଣୀ ସମାନ ନୁହେଁ । ପର୍ବପର୍ବାଣୀ, ପୂଜାପାଠ, ପ୍ରାର୍ଥନା ଓ ସାମାଜିକ ପରମ୍ପରା ସମାନ ନୁହେଁ ।
ଏମିତି ଏକ ସାମାଜିକ ସୁଅରେ ଭାସି ଯାଉ ଯାଉ ଆମ ନଜରରେ ପଡ଼ିଗଲା ହିମାଚଳ ପ୍ରଦେଶ । ହିମାଚଳ ପ୍ରଦେଶରେ ଦୁଇଭାଇ ଗୋଟିଏ ଯୁବତୀକୁ ବିବାହ କରି ଭାରତର ଅତୀତକୁ ମନେ ପକାଇ ଦେଇଛନ୍ତି ।
ହିମାଚଳ ପ୍ରଦେଶର ସିର୍ମୁର ଜିଲ୍ଲାରେ ସିଲାଇ ନିବାସୀ ପ୍ରଦୀପ ନେଗି ଓ କପିଲ ନେଗୀ ଗୋଟିଏ ବେଦୀରେ ବସି ଗୋଟିଏ ଯୁବତୀ ସୁନୀତା ଚୌହାନଙ୍କୁ ପତ୍ନୀ ରୂପେ ଗ୍ରହଣ କରିଛନ୍ତି । ସୁନୀତାଙ୍କ ଘର କୁନହଟ ଗ୍ରାମରେ । ସେମାନେ ହାତୀ ସଂପ୍ରଦାୟର । ସୁନୀତା ବହୁପତି ପ୍ରଥା ଅନୁସାରେ ଦୁଇଭାଇଙ୍କୁ ବିବାହ କରିବା ପରେ ସାରା ଭାରତର ଗଣମାଧ୍ୟମ ପାଇଁ କେନ୍ଦ୍ର ପାଲଟି ଯାଇଛନ୍ତି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଉଭୟ ପରିବାରର ସହମତି, ସାମାଜିକ ରୀତିନୀତି ଅନୁସାରେ ବହୁପତି ବିବାହ ସଂପନ୍ନ ହୋଇଛି ।