ବିଜେଡିରେ ମିଶିଲେ ବରିଷ୍ଠ ନେତା ପ୍ରଦୀପ ମାଝୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ଏବେ ଜୋର ଧରିଥିବା ବେଳେ ଦଳ ଅଦଳବଦଳ ନୀତି ଆରମ୍ଭ ହୋଇଛି । ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ଗତ କିଛି ଦିନ ତଳେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ପ୍ରଦୀପଙ୍କ ସହିତ ତାଙ୍କର ସମର୍ଥକମାନେ ମଧ୍ୟ ଶୋଭାଯାତ୍ରାରେ ଆସି ମିଶ୍ରଣ ପର୍ବରେ ଯୋଗଦେଇଥିବା ଜଣାପଡ଼ିଛି । ନବରଙ୍ଗପୁର ସହରର ସର୍କିଟ୍ ହାଉସ ଆଗରେ ଥିବା ପଡ଼ିଆରେ ପ୍ରସ୍ତୁତ ମଞ୍ଚରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏଥିରେ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ନବରଙ୍ଗପୁର ଜିଲ୍ଲାର ବିଧାୟକ ଓ ନେତାମାନେ କାର୍ଯ୍ୟକ୍ରମ‌ରେ ଯୋଗଦେଇଛନ୍ତି । ଏହି ମିଶ୍ରଣପର୍ବରେ ବିଜେଡିର ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ତଥା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ସାଂସଦ ରମେଶ ଚନ୍ଦ୍ର ମାଝୀ ଉପସ୍ଥିତ ଅଛନ୍ତି ।ଉଲ୍ଲେଖଯୋଗ୍ୟ ଯେ ମାସ ୨୨ ତାରିଖରେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଗତ ମାସ ୨୪ ତାରିଖ ଦିନ ତାଙ୍କ ସମର୍ଥକମାନେ କଂଗ୍ରେସ ଛାଡ଼ିବା ସହ ବିଜେଡିରେ ଯୋଗଦେବା ନେଇ ଘୋଷଣା କରିଥିଲେ ।