ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତମୂଳକ ଜାମିନ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ବିଜେଡିରୁ ବହିସ୍କୃତ ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । କୋର୍ଟ ତାଙ୍କୁ ୩ଟିମାମଲାରେ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ତିନିଟି ମାମଲାରେ ଜାମିନ୍ ମିଳିଛି । ପୂର୍ବରୁ କ୍ରାଇମବ୍ରାଂଚ ଦ୍ୱାରା ଦାୟର ମାମଲାରେ ଜାମିନ ମିଳିଥିଲା । ତାଙ୍କ ବିରୋଧରେ ଠକେଇ ଓ ଜାଲିଆତି ନେଇ ମାମଲା ରୁଜୁ ହୋଇଥିଲା । ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେଜଣେ ପ୍ରାର୍ଥୀଙ୍କଠାରୁ ୬ଲକ୍ଷ ନେଇଥିଲା ବେଳେ ଆଉ ଦୁଇ ଜଣ ଆଶାୟୀଙ୍କଠାରୁ ଯଥାକ୍ରମେ ୫ ଲକ୍ଷ ଓ ୩ ଲକ୍ଷ ଟଙ୍କା ନେଇଥିଲେ । ଏ ନେଇ ଗୋଳନ୍ଥରା ଥାନାରେ ତିନିଟି ମାମଲା ରୁଜୁ ହୋଇଥିଲା ।
ଉଲ୍ଲେଖଥାଉ କି, ଗତ ଡିସେମ୍ବର ୪ ତାରିଖରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ କ୍ରାଇମବ୍ରାଂଚ ଦ୍ୱାରା ଗିରଫ ହୋଇଥିଲେ । ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର ଓ ସାଇବର ଅପରାଧ ଭଳି ସଙ୍ଗୀନ ମାମଲାରେ କ୍ରାଇମବ୍ରାଂଚର ସାଇବର ସେଲ୍ ତାଙ୍କୁ ଗିରଫ କରିଥିଲା । ତାଙ୍କ ବିରୋଧରେ କେସ୍ ନମ୍ବର ୨୬/୨୦ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ (ଖ) ଓ ଆଇଟି ଆକ୍ଟ ୨୦୦୦ର ସେକ୍ସନ ୬୬ସି/୬୬ଡିରେ ମାମଲା ରୁଜୁ ହୋଇଛି । ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ସେ ଜାଲିଆତି ଓ ଠକେଇ କରିବା ସହ ଟଙ୍କା ଆଦାୟ କରିଛନ୍ତି । ଏହି ଅଭିଯୋଗର ଯଥେଷ୍ଟ ପ୍ରମାଣ ମିଳିବାରୁ ତାଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଂଚ ପକ୍ଷରୁ କୁହାଯାଇଥିଲା । ପରେ ତାଙ୍କ ବିରୋଧରେ ଗୋଟିକ ପରେ ଗୋଟିଏ ମାମଲା ଯୋଡି ହୋଇଥିଲା ।
ତେବେ ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ଟାଟା କମ୍ପାନୀର ପାସେଞ୍ଜର ବିଭାଗର ଏମ୍‌ଡି ବୋଲି ପରିଚୟ ଦେଇ ଠକେଇ, ଜାଲିଆତି ଭଳି ବେଆଇନ କାମ ଚଳାଇଥିଲେ । ଏହା ପଛରେ ଭାବୀ ଶ୍ୱଶୁର ତଥା ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ପ୍ରଚ୍ଛନ୍ନ ହାତ ରହିଥିଲା । ଭାବୀ ଶ୍ୱଶୁରଙ୍କ ଛତ୍ରଛାୟାତାଳେ ଆକାଶ ନିଜର ବେଆଇନ ସାମ୍ରାଜ୍ୟକୁ ବଢ଼ାଇ ଚାଲିଥିଲେ । ଲୋକଙ୍କଠାରୁ ପୁଳାପୁଳା ଟଙ୍କା ଆଦାୟ କରି ଭାବୀ ଶ୍ୱଶୁର ଭାବୀ ଜ୍ୱାଇଁ ଆକାଶଙ୍କ ଆକାଉଂଟକୁ ପଠାଉଥିଲେ । କଳା ସମ୍ପତିର ମୂଳଦୁଆ ପକାଇଥିଲେ । ଶିକ୍ଷିତ ଯୁବକମାନଙ୍କୁ ନିଯୁକ୍ତି ଦେବା ନାମରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଓ ଗଞ୍ଜାମରୁ ଲକ୍ଷଲକ୍ଷ ଟଙ୍କା ଆଦାୟ କରିଥିଲେ । ଏଭଳି ଅଭିଯୋଗକୁ ଆଧାର କରି କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ କରିଥିଲା । ହେଲେ ଏହାକୁ ଷଡଯନ୍ତ୍ର ବୋଲି ଶ୍ରୀପାଣିଗ୍ରାହୀ କହିଥିଲେ ।