୧୯୯୯ ମହାବାତ୍ୟା: ବାଇକରେ ବୁଲି ବିପନ୍ନଙ୍କୁ ଭେଟିଥିଲେ ପ୍ରଣବ

ଭୁବନେଶ୍ୱର(ଏସ୍ ନ୍ୟୁଜ): ପଞ୍ଚଭୂତରେ ବିଲୀନ ହୋଇସାରିଛି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀଙ୍କ ପାର୍ଥିବ ଶରୀର। ପରିବାର, ଶୁଭେଚ୍ଛୁ ଓ ସହକର୍ମୀଙ୍କ ପାଖରେ ସେ ଜିଇଁଥିବା ୮୪ ବର୍ଷ ଜୀବନର ଜ୍ବଳନ୍ତ ସ୍ମୃତି କେବଳ ଛାଡ଼ିଯାଇଛନ୍ତି। ପ୍ରଣବଙ୍କର ଏହିଭଳି ଏକ ସୁନେଲି ସ୍ମୃତି ସାଇତା ହୋଇ ରହିଛି କେନ୍ଦ୍ରାପଡ଼ାର ତରୁଣକାନ୍ତି କାଞ୍ଜିଲାଲଙ୍କ ପାଖରେ।

ଓଡ଼ିଶା ପ୍ରତି ପ୍ରଣବ ମୁଖର୍ଜୀଙ୍କର ବେଶ ଆବେଗ ଥିଲା। ସେଥିପାଇଁ ୧୯୯୯ ମସିହାର ମହାବାତ୍ୟା ପରେ ସେ ବିପନ୍ନଙ୍କ ସହାୟତା ଲାଗି ଏଠାକୁ ଛୁଟି ଆସିଥିଲେ। ସୋନିଆ ଗାନ୍ଧୀଙ୍କୁ ସାଙ୍ଗରେ ଧରି ରିଲିଫ୍ ବାଣ୍ଟିଥିଲେ। ଆଉ କିଛି ଦିନର ରହଣି ଭିତରେ କେନ୍ଦ୍ରାପଡ଼ାର ପ୍ରଭାବିତ ଅଞ୍ଚଳ ବାଇକରେ ବୁଲି ଦେଖିଥିଲେ। ଲୋକଙ୍କ ଅସୁବିଧା ବୁଝିଥିଲେ, ଧର୍ଯ୍ୟ ଧରିବାକୁ ସାହସ ଦେଇଥିଲେ। ତାଙ୍କୁ ବାଇକରେ ବସାଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରୁଥିଲେ ସେ ସମୟର ଜଣେ ତରୁଣ ଯୁବକ ତରୁଣକାନ୍ତି କାଞ୍ଜିଲାଲ। ଯାହାଙ୍କୁ ସାରା ଜୀବନ ମନେ ରଖିଥିଲେ ପ୍ରଣବ ମୁଖର୍ଜୀ।

ରାଷ୍ଟ୍ରପତି ହୋଇ ୨୦୧୩ରେ ଯେବେ ପ୍ରଣବ ପ୍ରଥମ କରି ଓଡ଼ିଶା ଆସିଥିଲେ ସେତେବେଳେ ତରୁଣକାନ୍ତିଙ୍କୁ ଖୋଜିଥିଲେ। ତରୁଣକାନ୍ତି ମଧ୍ୟ ସାଥିରେ ତାଙ୍କପାଇଁ କିଛି ପଇଡ଼ ଧରି ଭେଟିବାକୁ ରାଜଭବନ ଯାଇଥିଲେ। ଏପରିକି ୨୦୧୪ ଓ ୨୦୧୫ରେ ଦୁଇଥର ରାଷ୍ଟ୍ରପତି ଭବନ ଯାଇ ପ୍ରଣବ ମୁଖର୍ଜୀଙ୍କୁ ଭେଟିବାର ସୁଯୋଗ ପାଇଥିଲେ ତରୁଣକାନ୍ତି। ଆଜି ପ୍ରଣବଙ୍କ ବିୟୋଗରେ ସେ କୋହଭରା କଣ୍ଠରେ ସେ ସବୁ ସ୍ମୃତିକୁ ମନେ ପକାଇଛନ୍ତି।