ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୫ ଡିସେମ୍ବର ୨୦୨୪)ରେ ଓଡ଼ିଶାର ଭୁବନେଶ୍ୱରଠାରେ ନୂତନ ନ୍ୟାୟିକ ଅଦାଲତ ପରିସରକୁ ଉଦଘାଟନ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଠିକ୍ ସମୟରେ ନ୍ୟାୟ ନମିଳିବା ଅନ୍ୟାୟ ସହିତ ସମାନ । ବିଚାର ପ୍ରକ୍ରିୟା ସ୍ଥଗିତ ରଖାଯିବା ସଂସ୍କୃତି ଯୋଗୁଁ ଗରିବମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ବାରମ୍ବାର ଅଦାଲତକୁ ଆସିବା ପାଇଁ ସେମାନଙ୍କ ପାଖରେ ଅର୍ଥ କିମ୍ବା ମାନବ ସମ୍ବଳ ନାହିଁ । ସମସ୍ତ ଅଂଶୀଦାରମାନେ ସାଧାରଣ ଲୋକଙ୍କ ସ୍ୱାର୍ଥରେ ସ୍ଥଗିତ ରଖାଯିବାର ସଂସ୍କୃତିକୁ ଏଡ଼ାଇବା ପାଇଁ ଏକ ଉପାୟ ଖୋଜିବା ପାଇଁ ପ୍ରାଥମିକତା ଦେବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।
ରାଷ୍ଟ୍ରପତି କହିଥିଲେ ଯେ ଭାଷା ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଏକ ପ୍ରତିବନ୍ଧକ । ଓକିଲ ସେମାନଙ୍କ ସପକ୍ଷରେ କ’ଣ ଯୁକ୍ତି କରୁଛନ୍ତି କିମ୍ବା ବିଚାରପତି କ’ଣ ରାୟ ଦେଉଛନ୍ତି ତାହା ସେମାନେ ବୁଝିପାରନ୍ତି ନାହିଁ । ନ୍ୟାୟାଳୟଙ୍କ ରାୟଗୁଡ଼ିକ ବର୍ତ୍ତମାନ ଓଡ଼ିଆ ଏବଂ ସାନ୍ତାଳୀ ଭାଷାରେ ଅନୁବାଦ କରାଯାଉଛି ଏବଂ ଏହି ଅନୁବାଦିତ ରାୟଗୁଡ଼ିକ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟର ୱେବସାଇଟରେ ଉପଲବ୍ଧ ବୋଲି ଜାଣି ରାଷ୍ଟ୍ରପତି ଖୁସି ହୋଇଥିଲେ ।
ରାଷ୍ଟ୍ରପତି କହିଥିଲେ ଯେ ଆଜି ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉଛି। ଅନ୍ୟ କ୍ଷେତ୍ର ଭଳି ନ୍ୟାୟପାଳିକାରେ ମଧ୍ୟ ମହିଳାଙ୍କ ଭାଗିଦାରୀ ବଢ଼ୁଛି । ବର୍ତ୍ତମାନ ଓଡ଼ିଶା ନ୍ୟାୟିକ ସେବାରେ ୪୮ ପ୍ରତିଶତ ମହିଳା ଅଧିକାରୀ ରହିଥିବା ସେ ଉଲ୍ଲେଖ କରିଥିଲେ । ଆଗାମୀ ଦିନରେ ମହିଳା ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ରାଷ୍ଟ୍ରପତି ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ ।
ରାଷ୍ଟ୍ରପତି କହିଥିଲେ ଯେ, ସାଧାରଣ ନାଗରିକମାନେ କିପରି ବିନା ଭୟରେ ନ୍ୟାୟିକ ବ୍ୟବସ୍ଥା ସହିତ ଯୋଗାଯୋଗ କରିପାରିବେ ତାହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଅଧିକାଂଶ ସମୟରେ ଲୋକମାନେ ଓକିଲ ଓ ବିଚାରପତିଙ୍କ ସମ୍ମୁଖରେ ଭୟଭୀତ ହୋଇଯାଆନ୍ତି । ଅଦାଲତରେ ଏକ ସମ୍ବେଦନଶୀଳ ବାତାବରଣ ରହିବା ଜରୁରୀ ଯାହାଦ୍ୱାରା ସେମାନେ ମୁକ୍ତ ଭାବରେ ନିଜକୁ ପ୍ରକାଶ କରିପାରିବେ ।
ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିବା ପାଇଁ ନୂତନ ଅଦାଲତ ପରିସରକୁ ଡିଜାଇନ୍ କରାଯାଇଥିବା ଦର୍ଶାଇ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ, ଏଥିରେ ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ଜ୍ଞାନକୌଶଳ ବ୍ୟବହାର କରାଯାଉଛି । କୋର୍ଟ ପରିସରରେ ଆଧୁନିକ ସୁବିଧା ନ୍ୟାୟିକ କ୍ଷେତ୍ରରେ ସୁରୁଖୁରୁରେ କାମ କରିବାରେ ସହାୟକ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।