ଭୁବନେଶ୍ୱର : ‘ପ୍ରାଇଡ୍’ର ଅଭିଯାନ ଯେତେ ଜୋରଦାର ହେବ, ବିଜେଡି ଚେରକୁ ସେତିକି ଦୁର୍ବଳ କରି ଦିଆଯିବ ବୋଲି ‘ପ୍ରାଉଡ୍’ ଆବାହକ ସୀତାରାମ ବେହେରା ଦୃଢ଼ତାର ସହ କହିଛନ୍ତି । ସେ କହିଛନ୍ତି, ପ୍ରାଇଡ୍ ଯୋଉ ଅଭିଯାନ ଆରମ୍ଭ କରିଛି । ତାହା ଯେମିତି କ୍ଷମତାସୀନ ଦଳ ପାଇଁ ଟ୍ରାଜେଡି ନହେଉ । ୨ କୋଟି ଗରିବ ପରିବାରକୁ ନେଇ ବିଜେଡି ସରକାର କ୍ଷମତାସୀନ । ହକି ବିଶ୍ୱକପ୍ ହେଉ କି ଆଉ ଯୋଉ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ହେଉ ।
ଯୋଉ ନାଗରିକଙ୍କ ଭୋଟ ବଳରେ କ୍ଷମତାସୀନ ହେବ, ସେହି ନାଗରିକଙ୍କୁ ପ୍ରଥମେ ବଳି ପକାଇବ, ଏହା କୋଉ ସମ୍ବିଧାନରେ ଲେଖାଯାଇଛି । ନାଗରିକଙ୍କୁ ହଇରାଣ କରି କୋଉ ନଗରକୁ ଶାସନ କରିବେ ନିର୍ବାଚିତ ସରକାର । ମନେରଖ ନବୀନ ପଟ୍ଟନାୟକ, ନାଗରିକଙ୍କ ବାସ ଓ ବେଉସା ବୁଡ଼ାଇଲେ, ହକି ବିଶ୍ୱକପ୍ରେ ଭାଗ ନେଉଥିବା ବିଦେଶୀ ଟିମ ଆପଣଙ୍କୁ ନିର୍ବାଚନରେ କ୍ଷମତାସୀନ କରିବେନି । ଗ୍ରାମାଂଚଳରେ ରୋଜଗାର ବାଟ ନପାଇ ବହୁତ ଗରିବ ପରିବାର ସହରକୁ ଆସିଥାନ୍ତି ।
ମାତ୍ର ସହରରେ ଘରମାଲିକଙ୍କୁ ସୁହାଇବା ଭଳି ଘରଭଡ଼ା ଦେବାର ଶକ୍ତି ନଥିବାରୁ ସରକାରୀ ଜାଗାରେ କୁଡ଼ିଆଟିଏ କରି ମୁଣ୍ଡ ଗୁଞ୍ଜିଥାନ୍ତି । ପେଟ ପୋଷିବା ପାଇଁ ଯୋଉ ପରିବାର ସହରାଂଚଳକୁ ଆସୁଛନ୍ତି; ସେମାନେ ଅନ୍ୟ ଗ୍ରହରୁ କି ବିଦେଶରୁ ଆସିନାହାନ୍ତି ଯେ ସେମାନଙ୍କୁ ପଶୁଭଳି ଆଚରଣ ପ୍ରଦର୍ଶନ କରାଯିବ । ସେମାନଙ୍କର ମଧ୍ୟ ବଂଚିବାର ଅଧିକାର ରହିଛି । ଜଣେ ନାଗରିକ ଭାବେ ସ୍ୱାଧୀନ ଭାବେ ବସବାସ କରିବାର ଅଧିକାର ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ବସ୍ତି ଯୋଜନା ଘୋଷଣା କରିଛନ୍ତି ।
ବାସହୀନ ପରିବାରକୁ ନିର୍ଦ୍ଧାରିତ ପରିମାଣର ଜାଗା ଯୋଗାଇବାର ବନ୍ଦୋବସ୍ତ କରିଛନ୍ତି । ହକି ବିଶ୍ୱକପ୍ ଆଳରେ ଛୋଟ ବ୍ୟବସାୟୀ ଓ ଗରିବ ଲୋକଙ୍କ ବାସ ଓ ବେଉସା ଅଧିକାରକୁ ଛଡ଼ାଇ ‘ପ୍ରାଇଡ୍’ କେଉଁ ପ୍ରାଇଡ୍ ଅର୍ଜନ କରିବ । ଉଚ୍ଛେଦକାରୀଙ୍କୁ ପ୍ରଥମେ ଥଇଥାନ କରାଯିବା ଦରକାର । ବିନା ଥଇଥାନରେ ଉଚ୍ଛେଦ କଲେ, ତା’ର ଜବାବ ୨୦୨୪ ନିର୍ବାଚନରେ ଦିଆଯିବ ।
ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହକି ପ୍ରେମକୁ ଛଡ଼ାଇ ଦିଆଯିବ । ‘ପ୍ରାଇଡ’ର ଗୁଣ୍ଡାରାଜକୁ ଚେକ୍ କରିବା ପାଇଁ ସରକାରୀ ଜାଗାରେ ମୁଣ୍ଡ ଗୁଞ୍ଜିଥିବା ପରିବାର ଓ ଛୋଟ ଦୋକାନୀଙ୍କୁ ନେଇ ଗଠନ କରାଯାଇଛି ‘ପ୍ରାଉଡ୍’ । ‘ପ୍ରାଇଡ୍’ ଯୋଉଠି ସୀମା ଉଲ୍ଲଙ୍ଘନ କରିବ, ‘ପ୍ରାଉଡ୍’ ସେଇଠି ତା’ର ଶକ୍ତି ପ୍ରଦର୍ଶନ କରିବ ।