ଧାମନଗର ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନଜର

ବିଜେଡିର ମହିଳା କାର୍ଡକୁ ମୁକାବିଲା କରିବା କଷ୍ଟକର….

ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱରେ ନିୟୋଜିତ ୪୦ ଜଣ ନେତାଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୀକ୍ଷ୍ଣ ନଜର ରଖିଛନ୍ତି କାରଣ ଉକ୍ତ ୪୦ ଜଣ ନେତାଙ୍କ ଭିତରୁ ଯିଏ ମୋଦୀଙ୍କ ମନକୁ ଦଖଲ କରିପାରିବ; ସେ ହିଁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନର ମଙ୍ଗୁଆଳ ହେବେ । ଧାମନଗର ମଇଦାନରେ ୫ ଜଣ ପ୍ରାର୍ଥୀ ଅଛନ୍ତି । ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଜେଡି ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରନ୍ତି ।

ଏପରି ସୁଯୋଗକୁ ବୁଦ୍ଧିମାନର ସହ ପରିଚାଳନା କରିପାରିଲେ ବିଜେପି ତା’ର ଆସନ ବଜାୟ ରଖିପାରିବ । ବାଲେଶ୍ୱର ଆସନଟି ବିଜେପି ହାତରୁ ଖସିଯାଇଛି । ଏବେ ଧାମନଗର ଆସନଟି ଖସିଗଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗାଲରେ ଚାପୁଡ଼ାଟିଏ ବାଜିବ । ପରଲୋକଗତ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଲୋକପ୍ରିୟତା ତାଙ୍କ ପୁଅଙ୍କ ପାଇଁ କିଛି ପରିମାଣର ଫାଇଦା ଦେବ । ମାତ୍ର ସେତିକି ପାଇ ସେଠୀଙ୍କ ପୁଅ ଜିତି ପାରିବେନି ।

ବିଜେପିର ୪୦ ଜଣିଆ ପ୍ରଚାର ଟିମ ମୁଣ୍ଡରେ ଗୁରୁଦାୟିତ୍ୱ ଲଦିଛନ୍ତି ମୋଦୀଜୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନ ବୈଷ୍ଣବ, ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଭଳି ବଡ଼ବଡ଼ ନେତାମାନେ ପ୍ରଚାରକୁ ଓହ୍ଲାଇ ଜଣାଇ ଦେଇଛନ୍ତି ଯେ ବିଜେପିରେ ଯେତେ ଗୋଠ ଥିଲେ ମଧ୍ୟ ନିର୍ବାଚନ ବେଳକୁ ଗୋଟାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଧାମନଗର ଉପନିର୍ବାଚନରୁ ବିଜେପିର ପାରିବାପଣିଆ ସ୍ପଷ୍ଟ ହୋଇଯିବ ।

ଉପନିର୍ବାଚନଟିକୁ ମାମୁଲି କହିବା ମସ୍ତବଡ଼ ଭୁଲ ହୋଇଯିବ । ବିଜେପି ହାତରୁ ଆସନଟିକୁ ଛଡ଼ାଇ ନେବା ପାଇଁ ବିଜେଡି ମହିଳା କାର୍ଡ ଖେଳିଛି । ରାଜୁ ଦାସଙ୍କୁ କୋଣଠେସା କରି ବିଜେଡି ଅବନ୍ତୀଙ୍କୁ ପ୍ରାର୍ଥୀ କରିଛି । ଦୁଇଟି ବିଲେଇ ପିଠା ପାଇଁ କଳି କରି ଶେଷକୁ ହରାଇବା ଭଳି ବିଜେଡି ହାତରୁ କିଛି ଭୋଟ ରାଜୁ ଦାସ ନେଇଯିବେ । ବିଜେଡିର ଭୋଟ ବିଭାଜନରୁ ବିଜେପି ଫାଇଦା ଉଠାଇ ନପାରିଲେ, ବିଜେପି ପ୍ରତି ଶ୍ରୀରାମଙ୍କ ଆଶୀର୍ବାଦ ନାହିଁ ବୋଲି ବୁଝିବାକୁ ହେବ ।

୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ଯେତେ ଚେଷ୍ଟା କଲେ ମଧ୍ୟ କ୍ଷମତାକୁ ଯାଇପାରିବନି ବୋଲି ବୁଝିବାକୁ ହେବ । ବିଜେପିର ଯେଉଁ ୪୦ ଜଣ ନେତା ପ୍ରଚାରକୁ ଓହ୍ଲାଇଛନ୍ତି । ସେମାନେ ସମସ୍ତେ ଆସନ୍ତା ନିର୍ବାଚନରେ ମଇଦାନକୁ ଓହ୍ଲାଇବେ । ତେଣୁ ଧାମନଗର ଆସନରୁ ବିଜେପି ପ୍ରାର୍ଥୀଙ୍କୁ ଜିତାଇ ନପାରିଲେ, ସେମାନଙ୍କର ଲୋକସଭା ଓ ବିଧାନସଭା ଆସନ ଜିତିବା ଆଶା ଶୂନ ବୋଲି ପ୍ରମାଣିତ ହୋଇଯିବ । ୪୦ ଜଣିଆ ପ୍ରଚାର ଟିମ ଉପରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭରସା ଚାଲିଯିବ । ପ୍ରଧାନମନ୍ତ୍ରୀ ମୋଦୀ ବିଜେପିକୁ ଜିତାଇବା ପାଇଁ ଅନ୍ୟ ଛୋଟଛୋଟ ରାଜନୈତିକ ଦଳ ସହ ବୁଝାମଣା କରିବାକୁ ବାଧ୍ୟ ହେବେ ।