ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଠାରୁ ୫ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ସେପ୍ଟେମ୍ବର ୨୪ ତାରିଖରେ ହ୍ୱାଇଟ ହାଉସରେ ଦ୍ୱିପାକ୍ଷିକ ବୈଠକରେ ମିଳିତ ହେବେ। ଏହା ବାଇଡେନଙ୍କ ସହିତ ପ୍ରଥମ ସିଧାସଳଖ ବୈଠକ ହେବ। ଦୁଇନେତା ଭର୍ଚୁଆଲ ପଦ୍ଧତିରେ ପରସ୍ପରକୁ ଅନେକ ଥର ଭେଟିସାରିଛନ୍ତି। ସେଥିମଧ୍ୟରେ ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ କ୍ୱାଡ ବୈଠକ, ଏପ୍ରିଲରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସମ୍ମିଳନୀ ଏବଂ ଜୁନ୍ ମାସରେ ଜି-୭ ବୈଠକ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ ପ୍ରାୟ ଛଅମାସ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଥମ ଥର ପାଇଁ ବିଦେଶ ଗସ୍ତରେ ଯାଉଛନ୍ତି। ମୋଦି ଓ ବାଇଡେନ ମୁହାଁମୁହିଁ ଆଲୋଚନା କାଳରେ ବାଣିଜ୍ୟ, ନିବେଶ ଏବଂ ପ୍ରତିରକ୍ଷା ଓ ନିରାପତ୍ତା ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ କରିବା ସମ୍ପର୍କରେ ଆଲୋଚନା କରିବା ଆଶା କରାଯାଉଛି। ଏଥିସହିତ ଉଭୟ ଆଫଗାନିସ୍ତାନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବ ଆଶା ରହିଛି।
ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମୋ÷ଳବାଦ ଓ ଆତଙ୍କବାଦର କିଭଳି ମୁକାବିଲା କରାଯିବ ଏବଂ ତାହାସହିତ ପ୍ରମୁଖ ଆଞ୍ଚଳିକ ସମସ୍ୟାଗୁଡିକର କିଭଳି ସମାଧାନ କରାଯିବ, ସେ ସମ୍ପର୍କରେ ଦୁଇ ନେତା ଆଲୋଚନା କରିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବୈଦେଶିକ ସଚିବ ହର୍ଷ ସିଙ୍ଗଲା ମଧ୍ୟ ଆମେରିକା ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସେଠାରେ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି।
Prev Post