ସମ୍ବଲପୁର: ସମ୍ବଲପୁର ଜିଲ୍ଲା ତଥା ଅଂଚଳ ନିମନ୍ତେ ଆଜି ଏକ ଐତିହାସିକ ଦିନ। ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଜିଲ୍ଲାକୁ ସମୃଦ୍ଧ କରିବାରେ ଗୁରୁତ୍ୱପୂର୍ଣ ଦାୟିତ୍ୱ ବହନ କରିଛି। ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉ ନଥିବା ନେଇ ଜନ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ରହୁଛି। କିନ୍ତୁ କମ୍ପାନି କର୍ତୃପକ୍ଷ କହୁଛନ୍ତି ଏବେ ୬୫୦୦ ଲୋକ ନିଯୁକ୍ତି ପାଇଛନ୍ତି। ସେଥିରୁ ୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ଦେଇଛନ୍ତି। କେତେ ନିଯୁକ୍ତି ଦିଆଯାଇଛି, ତାହାର ହିସାବ ନିକାସ ହେବ। କମ୍ପାନି କର୍ତୃପକ୍ଷଙ୍କୁ ୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ଦେବାକୁ ପଡ଼ିବ।
୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ଦେଲେ ଆମେ କାରଖାନାର ସମ୍ପ୍ରସାରଣକୁ ସମର୍ଥନ କରିବୁ। ସ୍ଥାନୀୟ ଲଫଙ୍ଗାସ୍ଥିତ ଆଦିତ୍ୟ ଆଲୁମିନିୟମ ଶିଳ୍ପାନୁଷ୍ଠାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ପ୍ରକଳ୍ପ ଉଦଘାଟନ ଓ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ଏହା କହିଛନ୍ତି।
ସେ ଆଜି ୫ ହଜାର କୋଟିର ଆଲୁମିନିୟମ ଏଫ୍ଆର୍ପି ୟୁନିଟ ଓ ୮୩୪ କୋଟିର ସ୍ୱତନ୍ତ୍ର ବ୍ୟାଟେରି ଫଏଲ ତିଆରି ୟୁନିଟର ଉଦଘାଟନ କରିଛନ୍ତି। ଏହା ସହ ୨୧ ହଜାର ୧୬୨ କୋଟି ଆଦିତ୍ୟ ଆଲୁମିନିୟମ ସ୍ମେଲଟର୍ କ୍ଷମତା ସମ୍ପ୍ରସାରଣ ପ୍ରକଳ୍ପର ଶିଲାନ୍ୟାସ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭିତିଭୂମି ସୁଦୃଢ଼ ହେଲେ ଏ ଅଂଚଳର ବିକାଶ ହେବ। ସେଥିଲାଗି ସମ୍ବଲପୁରରେ ରାଜ୍ୟର ଦ୍ୱିତୀୟ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯିବ। ଯୁବକ ଯୁବତୀମାନଙ୍କୁ ଶିଳ୍ପକ୍ଷେତ୍ରରେ ନିଯୁକ୍ତି ପାଇଁ ପ୍ରସ୍ତୁତ କରାଯିବ। ଅଂଚଳକୁ ପ୍ରଦୂଷଣ ମୁକ୍ତ କରିବା ନିମନ୍ତେ ଯାହା ଦରକାର ରାଜ୍ୟ ସରକାର କରିବେ। କମ୍ପାନିକୁ ଜନପ୍ରତିନିଧି ମାନଙ୍କର କଥାକୁ ଗୁରୁତ୍ୱ ଦେଇ ସିଏସଆର୍ କାମ କରିବାକୁ ପଡ଼ିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଆହୁରି ନୂଆ ଶିଳ୍ପ ପ୍ରତିଷ୍ଠା କରାଯିବ। ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ହେଲେ ୧୫ ଲକ୍ଷ ଶିକ୍ଷିତ ଯୁବକ ଯୁବତୀ ଚାକିରି ପାଇପାରିବେ।
ଅଂଚଳର ଯୁବକମାନେ ଦକ୍ଷ ହେଲେ ଏଠିକାର କମ୍ପାନି ନିଯୁକ୍ତି ଦେବାକୁ ବାଧ୍ୟ ହେବ। ବାହାର ରାଜ୍ୟର ଯୁବକ ଯୁବତୀମାନଙ୍କୁ ଯେଉଁ ଅଗ୍ରାଧିକାର ଦିଆଯଉଛି ତାହା ଆମ ଯୁବକ ଯୁବତୀମାନେ ପାଇବେ। ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ।
ହିଣ୍ଡାଲକୋ ଏମଡି ସତୀଶ ପାଇଙ୍କୁ ମୁଖ୍ୟମନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି ୮୦ ପ୍ରତିଶତ ସ୍ଥାନୀୟ ଯୁବକମାନଙ୍କୁ ଚାକିରି ଦିଆଯାଉ।
ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ୍ କମ୍ପାନି ଉପରେ ଅସନ୍ତୋଷ ଦେଖାଇଛନ୍ତି। ଜୟନାରାୟଣ କମ୍ପାନିମାନଙ୍କ ବିରୁଦ୍ଧରେ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି କମ୍ପାନିଗୁଡିକ ସ୍ଥାନୀୟ ନିଯୁକ୍ତିରେ ଅବହେଳା କରିଛନ୍ତି। ମୁଁ ମନ୍ତ୍ରୀ ଥିବାବେଳେ ଏକ ଫାଇଲ ପଠାଇଥିଲି। ସ୍ଥାନୀୟ ଅଂଚଳର ଲୋକଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦିଆଯାଉ। ସରକାରୀ ନିୟମକୁ ଏଠିକାର କମ୍ପାନି ଜଳାଞ୍ଜଳି ଦେଇ ଦେଉଛନ୍ତି।
କୌଣସି କଳକାରଖାନା ସ୍ଥାନୀୟ ନିଯୁକ୍ତି ଦେଉନାହାନ୍ତି। ଏପରିକି ସ୍ଥାନୀୟ ଲୋକଙ୍କୁ ଝାଡୁଦାର ଚାକିରି ମଧ୍ୟ ଦେଉନାହାନ୍ତି।
ସ୍ଥାନୀୟ ବିଧାୟକ ସୁଦର୍ଶନ ହରିପାଲ ମଧ୍ୟ କମ୍ପାନି ବିରୁଦ୍ଧରେ ବର୍ଷିଥିଲେ। କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଝାରୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ପୂର୍ବତନ ବିଧାୟକ ନାଉରି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।